ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ: ୧୨ ବଖରା ଜଳିଗଲା

ହାଟଡିହୀ,୩୦।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାବଳେଶର ପଞ୍ଚାୟତ ଡିମିରିଆ ଗ୍ରାମରେ ଗୁରୁବାର ରାତିରେ ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଛି। ଏଥିରେ ସୁବାଷ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ, ଖଗେଶ୍ୱର ପ୍ରଧାନ ଓ ସୁରେନ୍ଦ୍ର ପ୍ରଧାନଙ୍କର ୧୨ ବଖରା ଘର ଜଳିଯାଇଛି।
ପ୍ରକାଶ ଯେ, ସୁବାଷଙ୍କ ଘରକୁ ଲାଗି ତାଙ୍କର ଏକ ଦୋକାନ ରହିଛି। ଘରେ ଗ୍ୟାସ ଯୋଗେ ରୋଷଇ ଚାଲୁଥିବା ବେଳେ ଦୋକାନରେ ଥିବା ପେଟ୍ରୋଲ ନିଆଁ ସଂସ୍ପର୍ଶରେ ଆସିବାରୁ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ହାଟଡିହୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏଥିରେ ସୁବାଷ ଝିଅ ବାହାଘର ପାଇଁ ରଖିଥିବା ସମସ୍ତ ଘରକରଣା ଜିନିଷ ଓ ନଗଦ ଦେଢ଼ ଲକ୍ଷ ଟଙ୍କା ପୋଡି ପାଉଁଶ ହୋଇଯାଇଛି।