ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣ: ଜଳିଗଲା ଫାଷ୍ଟଫୁଡ୍‌ ଦୋକାନ

ବ୍ରହ୍ମପୁର ଅଫିସ,୧୨।୧: ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ଏକ ଫାଷ୍ଟଫୁଡ୍‌ ଦୋକାନରେ ରବିବାର ପୂର୍ବାହ୍ନରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିଛି। ଏଥିରେ ଦୋକାନ ସହ ସେଠାରେ ଥିବା ସମସ୍ତ ଆସବାବପତ୍ର ଜଳିଯାଇଛି। ସୌଭାଗ୍ୟବଶତଃ ଦୋକାନ ମାଲିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ଗୋଷାଣିନୂଆଗାଁ ଥାନାଧିକାରୀ ସୁମିତ କୁମାର ସୋରେନ୍‌ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର ଓ ଅନ୍ୟ କର୍ମଚାରୀମାନେ ସେଠାରେ ପହଞ୍ଚିି ନିଆଁ ଲିଭାଇଥିଲେ । ଦୋକାନ ଭିତରେ ଥିବା ଅନ୍ୟ ୨ଟି ସିଲିଣ୍ଡର୍‌ ବିସ୍ଫୋରଣ ହେବା ପୂର୍ବରୁ ଅଗ୍ନିଶମ କର୍ମଚାରୀମାନେ ବାହାର କରିଦେଇଛନ୍ତି। ଏହି ବିସ୍ଫୋରଣରେ ଦୋକାନର ଟିଣଛାତ ଉଡ଼ିଯାଇଛି। ଏହାସହିତ ଦୋକାନ ଭିତରେ ଥିବା ସମସ୍ତ ଆସବାବପତ୍ର ଓ ରୋଷେଇ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଯାଇଛି। ସେହିପରି ଫାଷ୍ଟଫୁଡ଼ ଦୋକାନ ପାଖରେ ଥିବା ଏକ ମିଠା ଦୋକାନର ଆଂଶିକ କ୍ଷତି ହୋଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଫାଷ୍ଟଫୁଡ୍‌ ଦୋକାନରେ ମାଲିକ ଜିତୁ ପାଢ଼ୀ ରୋଷେଇ କରୁଥିବା ବେଳେ ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହୋଇ ସେଥିରେ ନିଆଁ ଲାଗିଯାଇଥିଲା। ପରେ ବିସ୍ଫୋରଣ ଘଟିଥିଲା । ଏଥିରେ ୫୦ ହଜାର ଟଙ୍କାର କ୍ଷୟକ୍ଷତି ଘଟିଥିବା ଜିତୁ କହିଛନ୍ତି।