ଗ୍ୟାସ୍‌ ଟାଙ୍କି ଫାଟି ଅଗ୍ନିକାଣ୍ଡ: ୬ ବଖରା ଜଳିଗଲା

ପଦ୍ମପୁର,୨୧।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଲକ୍ଷ୍ମୀଦାସପୁର ପଞ୍ଚାୟତ ଶ୍ରୀବତ୍ସପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ନାୟକଙ୍କ ଘରେ ଶନିବାର ଅପରାହ୍ନରେ ଗ୍ୟାସ୍‌ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ ବଖରା ଘର ଜଳିଯାଇଛି। ସୂଚନା ଅନୁଯାୟୀ, କାର୍ତ୍ତିକଙ୍କ ରୋଷେଇ ଘରେ ଚା ତିଆରି କରାଯାଉଥିବା ବେଳେ ଗ୍ୟାସ୍‌ ଟାଙ୍କି ଫାଟି ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ କାର୍ତ୍ତିକ, ତାଙ୍କ ଭାଇ ଛାୟାକାନ୍ତ, ହେମନ୍ତ ଓ ପୁତୁରା ସୂର୍ଯ୍ୟକାନ୍ତଙ୍କ ବାସଗୃହ ସମେତ ରୋଷେଇ ଘର ଓ ଗୁହାଳ ପୋଡ଼ିଯାଇଛି। ଖବର ପାଇ ବାସୁଦେବପୁର ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଘରୁ କୌଣସି ଜିନିଷ ଉଦ୍ଧାର ହୋଇପାରି ନାହିଁ। ସେମାନଙ୍କ ଘରେ ଥିବା ସମସ୍ତ ଆସବାବପତ୍ର, ଧାନ ଚାଉଳ, ଲୁଗାପଟା, ଗହଣା ଆଦି ପୋଡ଼ିଯାଇଛି। ନାୟକାଣିଡିହୀ ଥାନା ଏସ୍‌ଆଇ ନୀରଦ କୁମାର ମଲ୍ଲିକ ଓ ବାଲିମେଦ ରାଜସ୍ବ ନିରୀକ୍ଷକ ରବୀନ୍ଦ୍ର କୁମାର ପ୍ରଧାନ ସେଠାକୁ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି।