ଗ୍ରାମ୍ୟ ଜଙ୍ଗଲରୁ ଅବାଧ ମୋରମ ଚାଲାଣ, ଧ୍ୱଂସ ହେଉଛି ଜଙ୍ଗଲ

ବୌଦ୍ଧ, ୧୫ା୬(ସ୍ବ.ପ୍ର.): ବୌଦ୍ଧ ଜିଲା ବଘିଆପଡା ଗଉଡଦେଇ ଗ୍ରାମ୍ୟ ଜଙ୍ଗଲରୁ ଅବାଧରେ ମୋରମ ଚାଲାଣ ହେଉଛି। ଏଥିଯୋଗୁ ଉକ୍ତ ଜଙ୍ଗଲରେ ଥିବା ସବୁଜ ବନାନୀ ଧ୍ୱଂସ ହେବାରେ ଲାଗିଛି। ବନବିଭାଗ ପକ୍ଷରୁ ଉକ୍ତ ଜଙ୍ଗଲର ସୁରକ୍ଷା ପାଇଁ ଅର୍ଥ ଖର୍ଚ୍ଚ କରାଯାଉଥିଲେ ହେଁ ତାହାର କୌଣସି ପ୍ରଭାବ ଚାଲାଣକାରୀଙ୍କ ଉପରେ ପଡୁନାହିଁ। ଏଥିଯୋଗୁ ଗ୍ରାମ୍ୟ ଜଙ୍ଗଲ ଅଞ୍ଚଳରେ ରହିଥିବା ଛୋଟଛୋଟ ମୋରମ ଖାଦାନ ଖାଲି ହୋଇସାରିଲାଣି। ଏବେ ମାଫିଆମାନେ ସମତଳ ଅଞ୍ଚଳରୁ ମୋରମ ଖୋଳି ଟ୍ରାକ୍ଟର ଓ ଟ୍ରକରେ ଚାଲାଣ କରିବାରେ ଲାଗିଛନ୍ତି। ଏବେଠୁ ଏହାକୁ ରୋକା ନ ଗଲେ ଉକ୍ତ ଗ୍ରାମ୍ୟ ଜଙ୍ଗଲ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ଏ ନେଇ ବୌଦ୍ଧ ତହସିଲଦାର ସନତ କୁମାର ନାୟକଙ୍କୁ ପଚାରିବାରୁ ତଦନ୍ତ କରି ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ପ୍ରକାଶ ଯେ, କିଛିବର୍ଷ ତଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିବାଦ ଯୋଗୁଁ ଏହି ଗ୍ରାମ୍ୟ ଜଙ୍ଗଲରୁ ହଜାର ହଜାର ସଂଖ୍ୟାରେ ଗଛ କାଟି ଦିଆଯାଇଥିଲା। ପରେ ବନ ବିଭାଗ ପକ୍ଷରୁ ଉଜୁଡା ଜଙ୍ଗଲରେ ଚାରା ରୋପଣ କରାଯାଇଥିଲା। ବର୍ତ୍ତମାନ ଚୋରା ମୋରମ ଚାଲାଣକାରୀଙ୍କ ପାଇଁ ଏହି ଗ୍ରାମ୍ୟ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି।