ଗ୍ରାମାଞ୍ଚଳରେ ମୋବାଇଲ ସେବା ଅପହଞ୍ଚ

ଗଣିଆ,୯।୮(ଡିି.ଏନ.ଏ.)-ବର୍ତ୍ତମାନ ଦୁନିଆରେ ପ୍ରତିଟି ମୁହୂର୍ତ୍ତରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ଜରୁରୀ ହୋଇପଡିଛି। ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଓ ବେସରକାରୀ ଦପ୍ତର ପର୍ଯ୍ୟନ୍ତ ଏହାର ବ୍ୟବହାର ଜରୁରୀ ହୋଇପଡିଛି। ଜନସାଧାରଣଙ୍କୁ ଏହି ସୁବିଧା ଯୋଗାଇଦେବା ପାଇଁ ସରକାର ମଧ୍ୟ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୟାସ ଜାରି ରଖିଛନ୍ତି। ଏ ପରିପ୍ରେକ୍ଷୀରେ ଗଣିଆ ବ୍ଲକ ଛାମୁଣ୍ଡିଆ ଅଞ୍ଚଳର କେତେକ ଗ୍ରାମରେ ମୋବାଇଲ ସେବା ଅପହଞ୍ଚ ହୋଇପଡିଥିବା ଦେଖାଯାଇଛି। ଫଳରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ ବହୁ ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପଞ୍ଚାୟତର ଛାଡମୂଳ, ମହୁକଣ, ଉପର ମହୁକଣ, ବୁଟୁବୁରେଇ, ଭଗାମୁଣ୍ଡା, କୁମ୍ଭୀରଖଣି, ଧୋବାବୋରେଇ, ରାଜିଙ୍ଗି, ମହନାପଦା, ଯଶିପୁର, ବଡମୂଳ, ମାଳିସାହି ଆଦି ଗ୍ରାମବାସୀଙ୍କ ପାଇଁ ଏହିଭଳି ସମସ୍ୟା ଉପୁଜିଥିବା ଦେଖାଯାଇଛି। ଜରୁରୀ ସମୟରେ ଏହି ଗ୍ରାମର ଲୋକମାନେ ଗାଁ ଠାରୁ କିଛି କିଲୋମିଟର ଦୂର ଆସି ମୋବାଇଲ ଯୋଗେ କଥାବାର୍ତ୍ତା କରିଥାନ୍ତି ବୋଲି ମହୁକଣ ଗ୍ରାମର ବିଭୂତିଭୂଷଣ ସାମଲ କୁହନ୍ତି। କେତେକ ଗ୍ରାମରେ ଲୋକ ନିର୍ଦ୍ଦିଷ୍ଟ ସ୍ଥାନରେ ଗଛ ଉପରେ ଚଢି ମୋବାଇଲ ନେଟୱର୍କର ଅନୁସନ୍ଧାନ କରି ଫୋନ କରୁଥିବା ଦେଖିବାକୁ ମଳୁଛି। ଛାମୁଣ୍ଡିଆଠାରେ ବିଏସଏନଏଲ, ଏୟାରଟେଲ କମ୍ପାନୀର ନେଟୱର୍କ ନ ଥିବା ବେଳେ ଏଠାରେ ନିର୍ମାଣ କରାଯାଇଥିବା ଏକମାତ୍ର ଜିଓ କମ୍ପାନୀର ଟାୱାର କିଛି ଗ୍ରାମବାସୀଙ୍କ ପାଇଁ ସାହାଭରସା ପାଲଟିଛି। ଏହି ଜିଓ ନେଟୱର୍କର ଗେନ୍‌ ବୃଦ୍ଧି କରାଯାଉ ନ ଥିବାରୁ ଏହା ସିମିତ ଅଞ୍ଚଳ ମଧ୍ୟରେ କାର୍ଯ୍ୟ କରୁଛି। ସେହିପରି ଗତ ଏକ ବର୍ଷ ହେବ ଭାରତ ସଞ୍ଚାର ନିଗମ ଲିମିଟେଡ( ବିଏସଏନଏଲ) ତରଫରୁ ଛାମୁଣ୍ଡିଆଠାରେ ଏକ ମୋବାଇଲ ଟାୱାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ପାରି ଅଧାପନ୍ତରିଆ ଭାବେ ପଡିରହିଛି। ଅପରପକ୍ଷେ ପୋଲିସ ବିଭାଗର ଏସ୍‌ଆର୍‌ଇ ତରଫରୁ କୁମ୍ଭୀରଖଣି ଗ୍ରାମଠାରେ ଏକ ବିଏସଏନ୍‌ଏଲ ଟାୱାର ନିର୍ମାଣ ପାଇଁ ଗତ ୧ବର୍ଷ ତଳୁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିଲେ ହେଁ ଏହାର ନିର୍ମାଣ କାର୍ଯ୍ୟ ଏ ପର୍ଯ୍ୟନ୍ତ ଆରମ୍ଭ କରାଯାଇନାହିଁ। ସେହିପରି ବଡଶିଲିଙ୍ଗା ପଞ୍ଚାୟତବାସୀଙ୍କ ପାଇଁ ବଡଶିଲିଙ୍ଗାଠାରେ ନିର୍ମାଣ କରାଯାଇଥିବା ବିଏସଏନଏଲ ଟାୱାର ମଧ୍ୟ ଠିକ ଭାବେ କାର୍ଯ୍ୟ କରୁନଥିବାରୁ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି। ଛାମୁଣ୍ଡିଆ ଓ କୁମ୍ଭୀରଖଣି ଗ୍ରାମରେ ଖୁବ୍‌ ଶୀଘ୍ର ବିଏସଏନଏଲ ଟାୱାର ନିର୍ମାଣ ସହ ଜିଓ ନେଟୱର୍କର ଗେନ୍‌ ବୃଦ୍ଧି କରିବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହେଉଛି।