ଗୋଷ୍ଠୀ ସଂଘର୍ଷ ମାମଲା: ୪ ଅଭିଯୁକ୍ତଙ୍କୁ ଜେଲ, ନୂଆପଡ଼ା ଅଶାନ୍ତ, ପୋଲିସ ମୁତୟନ

ଦିଗପହଣ୍ଡି,୨୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ନୂଆପଡ଼ାର ୪ ଜଣ ଯୁବକଙ୍କୁ ଗୋଷ୍ଠୀ ସଂଘର୍ଷ ମାମଲାରେ କେ.ନୂଆଗାଁ ପୋଲିସ ସୋମବାର ଗିରଫକରି ଅପରାହ୍ନରେ ଦିଗପହଣ୍ଡି କୋର୍ଟକୁ ଚାଲାଣ କରିଛି। ସେମାନେ ହେଲେ କାହ୍ନୁ ପ୍ରଧାନ, ଶଙ୍କର ପ୍ରଧାନ, ସୁମନ ପ୍ରଧାନ ଓ ଶିବ ସେଠୀ। ଏନେଇ ଥାନାରେ କେସ୍‌ ନଂ. ୧୫୭/୧୯ ମାମଲା ରୁଜୁ ହୋଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବ୍‌ ଜେଲକୁ ପଠାଇ ଦିଆଯାଇଛି। ଏ ନେଇ ଗାଁ ରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଚିକିଟି ଏସ୍‌ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ କହିଛନ୍ତି। ଗଣ୍ଡଗୋଳ ଆଶଙ୍କାରେ ୧ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ପୋଲିସ ସୂଚନା ଅନୁଯାଯୀ, ଛାତ୍ରୀଙ୍କୁ କମେଣ୍ଟ ମରାକୁ କେନ୍ଦ୍ରକରି ଗ୍ରାମର ୨ଯୁବ ଗୋଷ୍ଠୀ ମଧ୍ୟରେ ଗତ କିଛି ଦିନ ହେଲା ଛକାପଞ୍ଝା ଲାଗିରହିଥିଲା। ଶନିବାର ରାତିରେ ଗ୍ରାମର ଚଢ଼ିଆପଡ଼ା ସାହିର ଯୁବ ଗୋଷ୍ଠୀ ବିଭିନ୍ନ ମାରଣାସ୍ତ୍ର ନେଇ ନିଲାମ ଛକର ଯୁବ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ। ଏଥିରେ ସନାତନ ପ୍ରଧାନ ଓ ଟୁଲୁ ଗୌଡ ଓରଫ ଟିଲ ଗୁରୁତର ଆହତ ହୋଇଥିଲେ। ସନାତନଙ୍କ ବାମ କାନମୁଣ୍ଡାରେ ଆଘାତ ଲାଗିଥିଲା। ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସନାତନଙ୍କ ବାପା ସୁକୁଟା ପ୍ରଧାନ ରବିବାର ଏ ନେଇ ଥାନାରେ ଏତଲା ଦେଇଥିଲେ। ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ମିଶ୍ର, ଚିକିଟି ଏସ୍‌ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ, ଆଇଆଇସି ମାଧବାନନ୍ଦ ନାୟକ, ଏଏସ୍‌ ଆଇ କ୍ଷୀରୋଦ ଚନ୍ଦ୍ର ବେହେରା ପ୍ରମୁଖ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।