ଗୋରେଖନାଥ ପୀଠ: ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ପ୍ରସାଦ ସେବନ ବ୍ୟବସ୍ଥା ବନ୍ଦ

ରଘୁନାଥପୁର,୨। ୧ (ଡି.ଏନ.ଏ.)- ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରଭୁ ଗୋରେଖନାଥ ପୀଠରେ ନୂଆବର୍ଷ ସନ୍ଧ୍ୟାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ପ୍ରସାଦ ସେବନ ବ୍ୟବସ୍ଥାକୁ ବନ୍ଦ ରଖାଯାଇଛି। ତେବେ ପ୍ରଭୁଙ୍କ ନୀତି ପ୍ରସାଦକୁ ଛାଡି ଦେଲେ ଅନ୍ୟ କୌଣସି ଅନ୍ନପ୍ରସାଦ ପ୍ରଶାସନର ବିନା ଅନୁମତିରେ ରୋଷେଇ କରାଯାଇପାରିବ ନାହିଁ। ଏ ସମ୍ପର୍କିତ ନୋଟିସ ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସମସ୍ତ ସଭ୍ୟଙ୍କ ଦସ୍ତଖତ ଥାଇ ପୀଠ ମଧ୍ୟରେ ଲଗାଯାଇଛି। ଏହାଛଡା ପ୍ରସାଦ ପ୍ରସ୍ତୁତ ହେଉଥିବା ପାକଶାଳାରେ ଟ୍ରଷ୍ଟବୋର୍ଡ ପକ୍ଷରୁ ତାଲା ପକାଇ ବନ୍ଦ କରାଯାଇଛି।

ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ୧୫ତାରିଖରୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତ ତଥା ଶ୍ରଦ୍ଧାଳୁ ଯାତ୍ରୀଙ୍କ ପାଇଁ ସୁଲଭ ମୂଲ୍ୟରେ ପ୍ରସାଦ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଥିଲା। ଜିଲାପାଳ ନିଜେ ଆସି ଭକ୍ତଙ୍କ ଉଦ୍ଦେଶ୍ୟରେ ଏହି କାର୍ଯ୍ୟର ଉଦ୍‌ଘାଟନ ପାଇଁ ସ୍ଥିର ହୋଇଥିଲା। ତେବେ ଏଠାରେ ପ୍ରସାଦ ପ୍ରସ୍ତୁତ କରି ବିକ୍ରୟ କରୁଥିବା ପୂଜକଙ୍କ ଆପତ୍ତିକ୍ରମେ, ସେମାନଙ୍କ ପେଟପାଟଣା କଥା ଚିନ୍ତା କରି ଜିଲାପାଳ ଏହି ବ୍ୟବସ୍ଥାକୁ ବନ୍ଦ କରି ଆଲୋଚନା ମାଧ୍ୟମରେ ସ୍ଥିର କରିବାକୁ ମ୍ୟାନେଜିଂ ଟ୍ରଷ୍ଟି ତଥା ଉପଜିଲାପାଳଙ୍କୁ କହିଥିଲେ। ଗତ ୧୫ଦିନ ତଳେ ପୂଜକ, ଟ୍ରଷ୍ଟ ବୋର୍ଡ ସଭ୍ୟ ମ୍ୟାନେଜିଂ ଟ୍ରଷ୍ଟିଙ୍କ ଉପସ୍ଥିତରେ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଡିସେମ୍ବର ଶେଷ ସୁଦ୍ଧା ବାର୍ଷିକ ୩ ଲକ୍ଷ ଟଙ୍କା ଟ୍ରଷ୍ଟ ବୋର୍ଡକୁ ପୈଠ କରି ପୂଜକମାନେ ପ୍ରସାଦ ପ୍ରସ୍ତୁତ କରିବାକୁ ସ୍ଥିର ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟରେ ପୂଜକମାନେ ଏଥିରେ ସହଯୋଗ ନ କରିବାରୁ ମ୍ୟାନେଜିଂ ଟ୍ରଷ୍ଟିଙ୍କ ନିର୍ଦ୍ଦେଶକ୍ରମେ ପ୍ରସାଦ ସେବନ ବ୍ୟବସ୍ଥାକୁ ବନ୍ଦ ରଖାଗଲା ବୋଲି ନିର୍ବାହୀ ଅଧିକାରୀ ସଂଗ୍ରାମ କେଶରୀ ଭଳ ପ୍ରକାଶ କରିଛନ୍ତି। ନୋଟିସ ମରାଯିବା ସମୟରେ ସଭ୍ୟ ସୁରେନ୍ଦ୍ରନାଥ ସ୍ବାଇଁ, ଆଇନଜୀବୀ ଜୀବନ ବଲ୍ଲଭ ମହାନ୍ତି, ପ୍ରଦୀପ୍ତ ମହାନ୍ତି, କ୍ଷୀରୋଦ ମହାନ୍ତି, ବାଦଲ କୁମାର ଯୋଗାଣିଆ, ସୁଶାନ୍ତ କୁମାର ଦାଶ ଓ ସୂର୍ଯ୍ୟନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ନୂଆବର୍ଷରେ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି କେବଳ ଦିନକ ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ପ୍ରସାଦ ସେବନ ପାଇଁ ଛାଡି ଦିଆଯାଇଥିଲା। ଗୁରୁବାରଠାରୁ ଏହି ନିର୍ଦ୍ଦେଶାନାମା ଲାଗୁ ହେବ ବୋଲି ନିର୍ବାହୀ ଅଧିକାରୀ ଭଳ କହିଛନ୍ତି। ତେବେ ପୀଠରେ ପ୍ରସାଦ ସେବନ ପାଇଁ, ମାନସିକଧାରୀଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ପ୍ରସାଦରେ ମଧ୍ୟ ରୋକ ଲାଗିବା ନେଇ ଚିନ୍ତା ପ୍ରକଟ କରାଯାଇଛି।