ଗୋବିନ୍ଦାବାଟି ଗ୍ରାମରୁ ୨ ପଜିଟିଭ୍‌ ଚିହ୍ନଟ ପରେ ୨୪ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା

ରତ୍ନଗିରି,୧୪ା୫(ଡି.ଏନ୍‌.ଏ.) : ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ କିମ୍ଭିରିଆପାଳ ପଞ୍ଚାୟତର ଗୋବିନ୍ଦବାଟି ଗ୍ରାମରୁ ଦୁଇ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତ ଦୁଇ ଜଣଙ୍କ ବୟସ ୬୦ ଓ ୩୫ ବୋଲି ଜଣାପଡ଼ିଛି। ଗତ କିଛିଦିନ ପୂର୍ବରୁ ଦୁଇ ଭାଇ କଲିକତାରୁ ଫେରିବା ପରେ ଗୋବିନ୍ଦବାଟି ପ୍ରାଥମିକ ବିଦ୍ୟାଳୟର ସରକାରୀ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଥିଲେ ସେଠାରୁ ଯାଜପୁର ଜିଲା ସ୍ବାସ୍ଥ୍ୟ ବିଭାଗ ସେମାନଙ୍କ ସୱାବ ସଂଗ୍ରହ କରି ରାଜ୍ୟ ପରୀକ୍ଷାଗାରକୁ ପରୀକ୍ଷା ନିମନ୍ତେ ପଠାଇଥିଲେ। ଗୁରୁବାର ରିପୋର୍ଟ କରୋନା ପଜିଟିଭ ଆସିଛି ବୋଲି ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. କୌଶିକ ପାତ୍ର ସୂଚନା ଦେଇଛନ୍ତି। ଘଟଣାକୁ ଦୃଷ୍ଟିରେ ରଖି କିମ୍ଭିରିଆପାଳ ପଞ୍ଚାୟତର ସରପଞ୍ଚ ପ୍ରତିମା ସାହୁ ଗୋବିନ୍ଦବାଟି, ମିଲିମିଳାପୁର,ମାଳଦା ଗ୍ରାମକୁ ଆଜି ଦିନ ୧୨ଟାରୁ ଶୁକ୍ରବାର ଦିନ ୧୨ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ପାଇଁ ପଞ୍ଚାୟତର ଏହି ସବୁ ଗ୍ରାମକୁ ଶଟ୍‌ଡାଉନ ଘୋଷଣା କରିଛନ୍ତି। ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଆଜି ୨ କରୋନା ଆକ୍ରାନ୍ତଙ୍କୁ ମିଶାଇ ବରୀ ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧିପାଇଛି।