ଗୋପାଳପୁର ବେଳାଭୂମି ରାସ୍ତାରୁ ଜବରଦଖଲ ଉଚ୍ଛେଦ

ଗୋପାଳପୁର,୧୬।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମି ରାସ୍ତାକୁ ଦୀର୍ଘବର୍ଷ ଧରି ଜବରଦଖଲକାରୀ କବ୍‌ଜାରେ ରଖିଥିଲେ। ଏ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବେଳାଭୂମିର ଉନ୍ନତୀକରଣ ଓ ସ୍ବଚ୍ଛତାକୁ ଗୁରୁତ୍ୱ ଦେଇ ଉକ୍ତ ରାସ୍ତାରେ ଥିବା ଜବରଦଖଲକାରୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଶନିବାର ପୂର୍ବାହ୍ନ ପ୍ରାୟ ୭.୩୦ ମି. ସମୟରେ ବ୍ରହ୍ମପୁର ଉପଜିଲାପାଳ ତଥା ପ୍ରଶାସକ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଉମା ଶଙ୍କର ସେଠୀଙ୍କ ନେତୃତ୍ୱରେ ପ୍ରଥମେ ଏନ୍‌ଏସି ଗେଟ୍‌କୁ ଭଙ୍ଗାଯାଇ ସମସ୍ତ ଦୋକାନ ଓ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଥିଲା। ବେଳାଭୂମିର ମୁଖ୍ୟରାସ୍ତାଠାରୁ ସିଶେଡ୍‌ ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ ଚାଲିଥିଲା। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଆଗାମୀ ଦିନରେ ଅନ୍ୟ ଅଞ୍ଚଳରେ ଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ସରକାରଙ୍କ ନୀତି ନିୟମ ପ୍ରକାରେ ଜବରଦଖଲ ଉଚ୍ଛେଦ କରାଯାଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ବିଡିଏର କର୍ମଚାରୀ, ଏନ୍‌ଏସି କର୍ମଚାରୀ, ରାଜସ୍ବ ବିଭାଗ କର୍ମଚାରୀ ଓ ଅନ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।