Categories: ଅପରାଧ

ଗୋଡ଼ାଇ ଗୋଡ଼ାଇ ହାଣିଲେ, ଯୁବକ ଗୁରୁତର

ବୋଲଗଡ଼,୨୨।୭(ଡି.ଏନ୍‌.ଏ.): ବୋଲଗଡ଼ ଥାନା ବାଙ୍କୋଇ ଫାଣ୍ଡି ସାନକୁମାରୀ ମଙ୍ଗଳା ମନ୍ଦିର ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସାନକୁୁମାରୀ ଗ୍ରାମର ଗଣେଷ ଖଣ୍ଡାଇ(୨୫)ଙ୍କୁ କେହି ଅଜଣା ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣି ଥିବା ନେଇ ଫାଣ୍ଡି ପୋଲିସ ପକ୍ଷରୁ ସୂଚନା ମିଳିଛି। ଗୁରୁତର ଗଣେଷ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସୂଚନାନୁଯାୟୀ, ଗଣେଷ ବିଳମ୍ବିତ ରାତିରେ ଗ୍ରାମ ନିକଟ ମନ୍ଦିର ନିକଟରେ ଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବାକୁ ସେ ଘରକୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କ ମୁହଁ, ଛାତି ଏବଂ ହାତରେ ଗଭୀର ଆଘାତ ଲାଗିଛି। ସେ ଗୁରୁତର ଥିବାରୁ ଆକ୍ରମଣକାରୀଙ୍କ ବିଷୟରେ କୌଣସି ସୂଚନା ଦେଇପାରିନାହାନ୍ତି। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।