ଗୋଟିଏ ସପ୍ତାହ ପୂର୍ବରୁ ଲାଗୁ କରିବାର ଥିଲା ‘ଜନତା କର୍ଫ୍ୟୁ’: ସଞ୍ଜୟ ରାଉତ

ମୁମ୍ବାଇ,୨୨।୩: କରୋନା ଭାଇରସର ସଂକ୍ରମଣକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଆହ୍ବାନ ଦେଇଥିଲେ ‘ଜନତା କର୍ଫ୍ୟୁ’ ତାହା ରବିବାର ସାରା ଦେଶରେ ପାଳନ କରାଯାଉଛି। ଲୋକେ ଶାନ୍ତି ଶୃଙ୍ଖଳାର ସହ ଏହା ପାଳନ କରିଥିବା ବେଳେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ‘ଜନତା କର୍ଫ୍ୟୁ’ ଗୋଟିଏ ସପ୍ତାହ ପୂର୍ବରୁ ପାଳନ କରିବାର ଥିଲା। ଅବଶ୍ୟ ଏହା ତାଙ୍କର ନିଜସ୍ବ ମତ ବୋଲି ସେ କହିଛନ୍ତି। ସରକାର ଏହା ଉପରେ ଅନ୍ୟ କିଛି କହିପାରନ୍ତି ବୋଲି ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି। ତେବେ କରୋନା ଭାଇରସ ଆମ ଦେଶର ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବ ପକାଇବ ବୋଲି ମଧ୍ୟ ସେ ମତ ରଖିଛନ୍ତି। ଯାହାର ପ୍ରଭାବ ଆଉ କିଛି ବର୍ଷ ପର୍ଯ୍ୟନ୍ତ ରହିବ। ତେବେ ବର୍ତ୍ତମାନ ଦେଶରେ କରୋନା ଭାଇରସର ଯେଉଁ ପ୍ରଭାବ ରହିଛି ତାକୁ ଦୃଷ୍ଟିରେ ରଖି ଆମେ ପରସ୍ପର ମଧ୍ୟରେ ସହଯୋଗ ରଖି ଠିକ୍‌ ଭାବେ ସଚେତନ ହେଲେ ଏହି ମହାମାରୀ ସହ ଲଢି ପାରିବା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ୭୪ ରହିଛି।

Share