ଗୋଟିଏ ରାତିରେ ୩ ଘରୁ ଚୋରି

ବଇଣ୍ଡା,୧୨।୮(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ସଙ୍ଗେ ୩ଟି ଘରୁ ଟଙ୍କା, ସୁନା ଗହଣା, ରୂପା ସହ ଆସବାବପତ୍ର ଚୋରି ହୋଇଥିବା ସୋମବାର ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି। ଠାକୁରଗଡ଼ ଗ୍ରାମରେ ଧଣ୍ଡାତୋପା ଗ୍ରାମର ବିନୋଦ ମିଶ୍ରଙ୍କ ଘରୁ ଦୁର୍ବୃତ୍ତମାନେ ଘରେ ପଶି ୩ଟି ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ରୂପା ଓ ନଗଦ ୧୨ ହଜାର ଟଙ୍କା ଚୋରି ହୋଇଥିବା ତାଙ୍କ ଭାଇ କୁମୁଦ ମିଶ୍ର ସୋମବାର ଥାନାରେ ଅଭିଯୋଗ କରିଛନ୍ତି।
ବିନୋଦଙ୍କ ଦେହ ଅସୁସ୍ଥ ଥିବାବେଳେ ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଚୋରି କରି ନେଇଯାଇଥିବା ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।
ସେହିପରି ନିର୍ମଳ ନାୟକ ଓ ତାଙ୍କ ଘରେ ଭଡ଼ା ଥିବା କୋରାବ ଗ୍ରାମର ନିରଞ୍ଜନ ଦେହୁରିଙ୍କ ଘରୁ ଦୁର୍ବୃତ୍ତମାନେ ୧୨ ହଜାର ଟଙ୍କା ସହ ୫ ଭରି ସୁନା ଓ ରୂପା ଚୋରି କରି ନେଇଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ ମଧ୍ୟ ଲୁଟେରାଙ୍କ ପତ୍ତା ପାଇ ପାରି ନାହିଁ। ପୋଲିସ ରାତ୍ରି ପାଟ୍ରୋଲିଂ ହେଉ ନ ଥିବା ଯୋଗୁ ଚୋରି ବଢୁଥିବା ଠାକୁରଗଡ଼ ଗ୍ରାମବାସୀ ଅଭିଯୋଗ କରିଛନ୍ତି।