ଗୋଟିଏ ପୃଷ୍ଠା ହେବ କର୍ମଚାରୀଙ୍କ ଦରମା ବିଲ୍‌

ଭୁବନେଶ୍ୱର,୧୩ା୧୦(ବ୍ୟୁରୋ):ସରକାରୀ କର୍ମଚାରୀମାନଙ୍କ ଦରମା ଦେବାକୁ ଆଉ ବରବାଦ ହେବ ନାହିଁ ଲକ୍ଷ ଲକ୍ଷ ପୃଷ୍ଠାର କାଗଜ। ଗୋଟିଏ ପୃଷ୍ଠାରେ ସବୁ କର୍ମଚାରୀଙ୍କ ଦରମା ବିଲ୍‌ ପ୍ରସ୍ତୁତ ହେବ। ରାଜ୍ୟ ସରକାର ସରକାରୀ କାର୍ଯ୍ୟାଳୟକୁ କାଗଜମୁକ୍ତ କରିବାକୁ ପଦକ୍ଷେପ ଆରମ୍ଭ କରିଛନ୍ତି। ପ୍ରତ୍ୟେକ ମାସରେ ରାଜ୍ୟର ସାଢ଼େ ୪ ଲକ୍ଷ କର୍ମଚାରୀଙ୍କ ଦରମା ପାଇଁ ପ୍ରାୟ ୧୫ ଲକ୍ଷ ପୃଷ୍ଠାର ବିଲ୍‌ ପ୍ରସ୍ତୁତ ହେଉଛି। ବର୍ଷକୁ ହାରାହାରି ୧.୮ କୋଟି ପୃଷ୍ଠାର ବିଲ୍‌ ପ୍ରସ୍ତୁତ ହେଉଛି। ଏହି ବିଲ୍‌ ପ୍ରସ୍ତୁତ କରିବାକୁ ବହୁ ମାନବ ସମ୍ବଳର ମଧ୍ୟ ଆବଶ୍ୟକତା ପଡୁଛି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସିଙ୍ଗଲ ପେଜ୍‌ ବା ଗୋଟିଏ ପୃଷ୍ଠା ବିଲ୍‌ ପ୍ରସ୍ତୁତ କରିବାକୁ ପଦକ୍ଷେପ ନେଇଛି। ଏ ନେଇ ରାଜ୍ୟର ୩ଟି ମୁଖ୍ୟ ଟ୍ରେଜେରିରେ ଏହାକୁ ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯାଇଛି। ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ୧୬୬ଟି ସରକାରୀ ଟ୍ରେଜେରିରେ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ଜଣାପଡିଛି। ଅର୍ଥ ବିଭାଗ ସଚିବ ଅଶୋକ କୁମାର ମୀନା ଏ ନେଇ ଟ୍ରେଜେରି ଓ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। କର୍ମଚାରୀମାନଙ୍କର ଦରମା ବିଲ୍‌ ପ୍ରସ୍ତୁତ କରିବାକୁ ୮ ହଜାର ଡ୍ରଇଙ୍ଗ ଡିସ୍‌ବର୍ସିଂ ଅଫିସର(ଡିଡିଓ) ନିଯୁକ୍ତି ପାଇଛନ୍ତି। ସେମାନେ ପ୍ରତିମାସରେ ପ୍ରତ୍ୟେକ କର୍ମଚାରୀଙ୍କ ପାଇଁ ୫୦ ପୃଷ୍ଠାର ବିଲ୍‌ ପ୍ରସ୍ତୁତ କରୁଛନ୍ତି। ରାଜ୍ୟ ମୁଖ୍ୟ ଟ୍ରେଜେରିରେ ଏହାକୁ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରାଯାଇଥିଲା। ଏହା ବେଶ୍‌ ସଫଳ ହୋଇଛି। ଦରମା ବିଲ୍‌ ପ୍ରସ୍ତୁତ ହେବା ପରେ ଗୋଟିଏ କପି ଟ୍ରେଜେରିକୁ ପଠାଯାଇଥିବା ବେଳେ ଅନ୍ୟ ଗୋଟିଏ କପିକୁ ଡିଡିଓ ନିଜ ପାଖରେ ରଖିଥାଆନ୍ତି । ଏହି ପ୍ରକ୍ରିୟା ଦ୍ୱାରା ବହୁ ମାନବ ସମ୍ବଳ ଆବଶ୍ୟକତା ପଡୁଥିବା ବେଳେ ବିଲ୍‌ ପ୍ରସ୍ତୁତ କରିବାକୁ ଦୀର୍ଘସମୟ ଲାଗୁଛି। ଗୋଟିଏ ପୃଷ୍ଠା ବିଲ୍‌ ପ୍ରସ୍ତୁତ କରିବାକୁ କର୍ମଚାରୀମାନଙ୍କୁ କମ୍‌ ସମୟ ଲାଗୁଥିବାରୁ ସେମାନେ ମଧ୍ୟ ସନ୍ତୋଷ ପ୍ରକାଶ କରିଛନ୍ତି।