ଗୋଟିଏ ନୃତ୍ୟରେ ଦୁଇଟି ରାଜ୍ୟର ସଂସ୍କୃତି

କଟକ ଅଫିସ,୧୬।୧୧: ବାଲିଯାତ୍ରାର ଚତୁର୍ଥ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଶ୍ରୀଜନ ଛାନ୍ଦ ଡ୍ୟାନ୍ସ ଗ୍ରୁପର ଗୋଟିଏ ନୃତ୍ୟରେ ଦୁଇଟି ରାଜ୍ୟର ସଂସ୍କୃତି ଓ ପରମ୍ପରା ଦେଖିବାକୁ ମିଳିଥିଲା। ପଶ୍ଚିମବଙ୍ଗ ଓ ଓଡ଼ିଶାର ସଂସ୍କୃତିକୁ ନେଇ ଗ୍ରୁପର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ। ତାଙ୍କର କୃଷ୍ଣଲୀଳା, କାଳୀ ଓ ଶିବ ତାଣ୍ଡବରେ ଦର୍ଶକମାନେ ମନ୍ତ୍ରମୁଗ୍ଧ ହୋଇଥିଲେ। ବ୍ରହ୍ମପୁରର ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ଜୟ ହୋ ଗୀତରେ ଦେଶଭକ୍ତିର ଝଲକ ଦେଖିବାକୁ ମିଳିଥିଲା। କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ସାଧବ ବୋହୂ ସଙ୍ଗୀତ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା। ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ସଙ୍ଗୀତ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା। କଟକର ସଂସ୍କୃତି ବିହାର ଗୀତିନାଟ୍ୟ କରିଥିଲେ। ଛତିଶଗଡ଼ର ଅନିଲ ଗାରଓ୍ବୋଲ ଆଣ୍ଡ ଗ୍ରୁପ ପକ୍ଷରୁ ଗେଡି ଲୋକନୃତ୍ୟ ପ୍ରଦର୍ଶିତ ହୋଇଥିଲା। ଜିଲା କଳା, ସଂସ୍କୃତି ସଂଘ, କଟକ ନୃତ୍ୟୋତ୍ସବ କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ମହାନଦୀ ମଞ୍ଚରେ ଶିବାଜୀ ଡ୍ୟାନ୍ସ ଏକାଡେମୀର ସମ୍ବଲପୁରୀ ନୃତ୍ୟକୁ ଦର୍ଶକମାନେ ଉପଭୋଗ କରିଥିଲେ। ସୁଲଗ୍ନା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଅତିଥିଭାବେ ଜିଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରା, କଳା ସଂସ୍କୃତି ବିଭାଗର ସଦସ୍ୟ ସବିତା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।