ଗୋଟିଏ ଘରୁ ୩ ମୃତଦେହ ଉଦ୍ଧାର: ସ୍ତ୍ରୀ, ଝିଅଙ୍କୁ ହତ୍ୟା ପରେ ସ୍ବାମୀଙ୍କ ଆତ୍ମହତ୍ୟା

ଛତ୍ରପୁର, ୨୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ପାଲିଆ ଛତ୍ରପୁର ମଝି ସାହିରେ ବୁଧବାର ଏକ ଦୁଃଖଦ ଘଟଣା ଘଟିିଛି। ଗୋଟିଏ ଘରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ହେଲେ ବୃନ୍ଦାବନ ବେହେରା ସ୍ତ୍ରୀ ଉର୍ମିଳା ଓ ଝିଅ ସୁନିତା।
ସୂଚନାଯୋଗ୍ୟ, ଉର୍ମିଳା ଓ ସୁନିତାଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ତଳେ ପଡିିଥିବା ବେଳେ ବୃନ୍ଦାବନଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଖବର ପାଇ ଛତ୍ରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୩ ଜଣଙ୍କ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ବୃନ୍ଦାବନ କାତି ସାହାଯ୍ୟରେ ସ୍ତ୍ରୀ ଓ ଝିଅଙ୍କୁ ହତ୍ୟା କରିବା ପରେ ଅନ୍ୟ ରୁମରେ ନିଜେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟଙ୍କ ନେତୃତ୍ୱରେ ସାଇଣ୍ଟିଫିକ୍‌ ଟିମ ଓ ସନ୍ଧାନୀ କୁକୁର ସହାୟତା ନିଆଯାଇ ତଦନ୍ତ ଚାଲିଛି। ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ, ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସ୍‌ଡିପିଓ ଗୌତମ କିସାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିି ଅନୁଧ୍ୟାନ କରୁଛନ୍ତି। ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡି ନ ଥିବା ବେଳେ ପାରିବାରିକ ଅଶାନ୍ତି ଯୋଗୁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି ।