ଗୋଛା ପଞ୍ଚାୟତକୁ ମିଳିଲା ଜାତୀୟ ପଞ୍ଚାୟତ ପୁରସ୍କାର

ସୋରଡା,୨୩।୪ : ଗୋଛା ଗ୍ରାମପଞ୍ଚାୟତକୁ ଭାରତ ସରକାରଙ୍କ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ମିଳିଛି। ସୋମବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ସରପଞ୍ଚ ତ୍ରିଲୋଚନ ସାହୁ ସେଠାରେ ପୁରସ୍କାର ଗ୍ରହଣ କରିଥିଲେ । ସରପଞ୍ଚ ଶ୍ରୀ ସାହୁ ସେଠାରୁ ଫେରିବା ପରେ ରବିବାର ଗୋଛାଠାରେ ତହସିଲଦାର ପ୍ରଫୁଲ୍ଲ ଚଦ୍ର ଡାକୁଆ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ । ଆୟୋଜିତ ସଭାରେ ଜିଲ୍ଲା ପରିଷଦ ପ୍ରଫୁଲ୍ଲ କୁମାର ମହାଙ୍କୁଡ , କୃଷି ଅଧିକାରୀ ରାଜକିଶୋର ସାଇଁ , ସବିତା ସୋରେନ ସମେତ ପଞ୍ଚାୟତର ବହୁ ଜନସାଧାରଣ ଉପସ୍ଥିତ ଥିଲେ । ପଞ୍ଚାୟତର ସାମଗ୍ରିକ ବିକାଶ ତଥା ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ସଦା ସର୍ବଦା ଅଗ୍ରସର ରହିବି ଏବଂ ସବୁ ବର୍ଗର ସମସ୍ୟା ସମାଧାନ ପାଇଁ ଚେଷ୍ଟିତ ରହିବା ମୋର କର୍ତ୍ତବ୍ୟ ବୋଲି ଶ୍ରୀ ସରପଞ୍ଚ କହିଥିଲେ। ସଭାକୁ କୁନା ପଟ୍ଟନାୟକ ପରିଚାଳନା କରିଥିଲେ ।