Categories: ଖେଳ

ଗୋକୁଳମ୍‌ କେରଳ ଜିତିଲା ଡୁରାଣ୍ଡ୍‌ କପ୍‌

କୋଲକାତା, ୨୫।୮ (ପି.ଟି.)- ଟାଇଟଲ୍‌ ଫେଭରାଇଟ୍‌ ମୋହନ ବାଗାନକୁ ପରାସ୍ତ କରି ଗୋକୁଳମ୍‌ କେରଳ ଏଫ୍‌ସି ସମ୍ମାନଜନକ ଡୁରାଣ୍ଡ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ୧୨୯ତମ ସଂସ୍କରଣରେ ଚାମ୍ପିୟନ ହୋଇଛି। ଶନିବାର ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ଗୋକୁଳମ୍‌ କେରଳ ୨-୧ ଗୋଲରେ ୧୬ଥରର ଚାମ୍ପିୟନ ମୋହନ ବାଗାନକୁ ପରାସ୍ତ କରିଛି। ବିଜୟୀ ଦଳର ଅଧିନାୟକ ତଥା ତ୍ରିନିଦାଦ୍‌ର ଫର୍‌ଓ୍ବାର୍ଡ ମାର୍କସ୍‌ ଜୋସେଫ୍‌ ଡବଲ୍‌ ଗୋସ୍କୋର କରି କେରଳକୁ ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିସହ କୌଣସି କେରଳ କ୍ଲବ ଦୀର୍ଘ ୨୨ ବର୍ଷପରେ ଏସିଆର ଏହି ସର୍ବପୁରାତନ ଫୁଟ୍‌ବଲ ପ୍ରତିଯୋଗିତାରେ ବିଜୟୀ ମୁକୁଟ୍‌ ପିନ୍ଧିବାର ସୌଭାଗ୍ୟ ଲାଭ କରିଛି। ଶେଷଥର ପାଇଁ ଏଫ୍‌ସି କୋଚିନ୍‌ କ୍ଲବ ଡୁରାଣ୍ଡ କପ୍‌ ଜିତିଥିଲା। ଅପରପକ୍ଷରେ ମୋହନ ବାଗାନ ଶେଷଥର ପାଇଁ ୨୦୦୦ ମସିହାରେ ବିଶ୍ୱର ଏହି ୩ୟ ସର୍ବପୁରାତନ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଥିଲା।
ସ୍ଥାନୀୟ ସଲ୍ଟ ଲେକ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମାର୍ଦ୍ଧର ଅନ୍ତିମକ୍ଷଣ ପର୍ଯ୍ୟନ୍ତ ଉଭୟ ଦଳ କେହି କାହାରିକୁ ଗୋଲ ଦେଇପାରି ନ ଥିଲେ। କିନ୍ତୁ ପ୍ରଥମାର୍ଦ୍ଧର ଅତିରିକ୍ତ ସମୟ (୪୫+୧)ରେ କେରଳ ଅଧିନାୟକ ଜୋସେଫ୍‌ ଏକ ପେନାଲ୍ଟିକୁ ଗୋଲରେ ପରିଣତ କରି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ଦ୍ୱିତୀୟାର୍ଦ୍ଧର ପ୍ରାରମ୍ଭରୁ ମଧ୍ୟ ଜୋସେଫ୍‌ଙ୍କ କମାଲ୍‌ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ର ୫୧ତମ ମିନିଟ୍‌ରେ ଜୋସେଫ୍‌ ବାମ ପାଦରେ ଏକ ଚମତ୍କାର ଶଟ୍‌ ମାରି ବଲ୍‌କୁ ମୋହନ ବାଗାନ ଗୋଲପୋଷ୍ଟ ମଧ୍ୟକୁ ପଠାଇ ଦେଇଥିଲେ। ଫଳରେ କେରଳ ୨-୦ ଗୋଲରେ ଅଗ୍ରଣୀ ଲାଭ କରିଥିଲା। ଏହାର ୧୩ ମିନିଟ୍‌ ପରେ ମୋହନ ବାଗାନ ଗୋଟିଏ ଗୋଲ ଶୁଝାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇ ନ ଥିଲା। ୬୪ତମ ମିନିଟ୍‌ରେ ଫ୍ରି-କିକ୍‌ ଜରିଆରେ ସାଲ୍‌ଭା ଚାମୋରୋ ମୋହନ ବାଗାନ ପାଇଁ ଏହି ଏକମାତ୍ର ଗୋଲଟି ଦେଇଥିଲେ। ମ୍ୟାଚ୍‌ ଶେଷ ହେବାକୁ ଆଉ ୩ ମିନିଟ୍‌ ଥିବାବେଳେ କେରଳର ଜଷ୍ଟିନ ଜର୍ଜ ରେଡ୍‌ କାର୍ଡ ପାଇ ପଡ଼ିଆ ବାହାରକୁ ଯାଇଥିଲେ ମଧ୍ୟ ମୋହନ ବାଗାନ ଖେଳାଳି ଏହାର ଫାଇଦା ଉଠାଇ ପାରି ନ ଥିଲା।

Share