Categories: ଜାତୀୟ

ଗୋଆ ଡିଜିପିଙ୍କ ପରଲୋକ

ନୂଆଦିଲ୍ଲୀ, ୧୭ା୧୧(ଆଇଏଏନ୍‌ଏସ୍‌): ଗୋଆ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ପ୍ରଣବ ନନ୍ଦଙ୍କର ଶୁକ୍ରବାର ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୫୭ ବର୍ଷ ହୋଇଥିଲା। ଗୋଆରେ ଏକ ସରକାରୀ କାର୍ଯ୍ୟକ୍ରମ ସାରି ସେ ଦିଲ୍ଲୀ ଯାଇଥିଲାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଆଇଜି ଯଶପାଲ ସିଂ ସୂଚନା ଦେଇଛନ୍ତି। ୧୯୮୮ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଫିସରଙ୍କୁ ଗତ ଫେବୃୟାରୀରେ ଗୋଆ ବଦଳି କରାଯାଇଥିଲା। ତାଙ୍କ ପରଲୋକରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ, ବିଧାନସଭାର ବିରୋଧୀ ଦଳ ନେତା ଦିଗମ୍ବର କାମାତ୍‌ଙ୍କ ସମେତ ବହୁ ନେତା ଶୋକବ୍ୟକ୍ତ କରିଛନ୍ତି। ପ୍ରଣବଙ୍କ ସ୍ତ୍ରୀ ସୁନ୍ଦରୀ ନନ୍ଦ ମଧ୍ୟ ଜଣେ ଆଇପିଏସ୍‌ ଅଫିସର ଏବଂ ସେ ଦିଲ୍ଲୀ ପୋଲିସରେ କାର୍ଯ୍ୟ କରୁଛନ୍ତି। ଗୋଆ ପୋଲିସ ଡିଜି ଭାବେ ନିଯୁକ୍ତି ପାଇବା ପୂର୍ବରୁ ପ୍ରଣବ ଗୋଇନ୍ଦା ବ୍ୟୁରୋ (ଆଇବି)ରେ ଦୁଇଦଶନ୍ଧି ଧରି କାର୍ଯ୍ୟ କରିଥିଲେ। ତାଙ୍କ ସମୟରେ ଆଇବିରେ ଅନେକ ପରିବର୍ତ୍ତନ ହେବା ସହ ଏହାର ସାମର୍ଥ୍ୟ ବୃଦ୍ଧି ପାଇଥିଲା। ପ୍ରକାଶ ଯେ, ସ୍ବର୍ଗତ ପ୍ରଣବଙ୍କ ପୂର୍ବଜ ସମ୍ବଲପୁର ରାଜାଙ୍କ ପୁରୋହିତ ଥିଲେ। ପ୍ରଣବଙ୍କ ଜନ୍ମ ଓ ପାଠପଢ଼ା ବିହାରର ପାଟନାରେ ହୋଇଥିଲା।

Share