Categories: ଜାତୀୟ

ଗେହଲଟଙ୍କ ମୁଣ୍ଡରେ ସବୁ ଦୋଷ

ନୂଆଦିଲ୍ଲୀ/ଜୟପୁର,୨୯ା୫: ୫ ମାସ ତଳେ ଯେଉଁ ୩ ହିନ୍ଦୀଭାଷୀ ରାଜ୍ୟରେ ଭାଜପାଠାରୁ କଂଗ୍ରେସ କ୍ଷମତା ଛଡ଼ାଇନେଇଥିଲା ତନ୍ମଧ୍ୟୁ ରାଜସ୍ଥାନ ଅନ୍ୟତମ। ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାର ୧୦୦ ଆସନ ଦଖଲ କରି ୬ ବିଏସ୍‌ପି ଓ ୧୨ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ସରକାର ଗଢ଼ିବାରେ ସକ୍ଷମ ହୋଇଥିବା କଂଗ୍ରେସ ଉପରେ ଏବେ ସଙ୍କଟ ଦେଖାଦେଇଛି। ଲୋକ ସଭା ନିର୍ବାଚନରେ କଂଗ୍ରେସ ୨୫ଟି ଯାକ ଆସନରେ ପରାଜୟ ସ୍ବୀକାର କରିଛି। ଏପରି କି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ମଧ୍ୟ ନିର୍ବାଚନ ହାରିଯାଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସିଡବ୍ଲ୍ୟୁସି ବୈଠକରେ ଗେହଲଟଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିବା ପରେ ରାଜ୍ୟ କଂଗ୍ରେସ ନେତାମାନେ ଦଳର ପରାଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପରେ ସବୁ ଦୋଷ ଲଦିବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦରେ ନ ରହିଲେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଉପମୁଖ୍ୟମନ୍ତ୍ରୀ ପଦ ସହ ରାଜ୍ୟ କଂଗ୍ରେସ ସଭାପତି ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ଜୟପୁରରେ ବୁଧବାର ପ୍ରଦେଶ କଂଗ୍ରେସ କମିଟି (ପିସିସି) ବୈଠକ ହେବ। ଏଥିରେ ଉଭୟ ଗେହଲଟ ଓ ପାଇଲଟଙ୍କ ସମେତ ଏଆଇସିସି ସାଧାରଣ ସମ୍ପାଦକ ଅବିନାଶ ପାଣ୍ଡେ ଯୋଗଦେବେ।

Share