ଗେଷ୍ଟ ହାଉସ୍‌ରେ ଯୁବତୀଙ୍କୁ ବଳାତ୍କାର: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ବରମୁଣ୍ଡା ଅଞ୍ଚଳର ଏକ ଗେଷ୍ଟ ହାଉସ୍‌ରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ କଟକ ଜିଲା ଗୋବିନ୍ଦପୁର ଅଞ୍ଚଳର ବାବୁଲି ସାହୁଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି। ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ, ବାବୁଲି ନୟାପଲ୍ଲୀ ଥାନା ଅଧୀନ ସାଲିଆସାହି ଅଞ୍ଚଳରେ ରହୁଥିଲେ। ତାଙ୍କର ପୁରୀ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଭୁବନେଶ୍ୱରରେ ଦେଖାସାକ୍ଷାତ ହେବା ପରେ ବନ୍ଧୁତା ଗଢି ଉଠିଥିଲା। ଗତ ଅଗଷ୍ଟ ୧୯ ତାରିଖରେ ଉଭୟେ ଭୁବନେଶ୍ୱରରେ ବୁଲାବୁଲି କରିବା ପରେ ବରମୁଣ୍ଡା ଅଞ୍ଚଳରେ ଥିବା ଏକ ଗେଷ୍ଟ ହାଉସରେ ଏକାଠି ରହିଥିଲେ। ଉକ୍ତ ରାତିରେ ବାବୁଲି ତାଙ୍କୁ ବଳାତ୍କାର କରିଥିଲେ। ଏ ନେଇ ଯୁବତୀ ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ କେସ୍‌ ନଂ. ୪୪୦/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗୁରୁବାର ବିଳମ୍ବିତ ରାତିରେ ଅଭିଯୁକ୍ତ ବାବୁଲିଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ପୋଲିସ ପଚରାଉଚରା କରିବା ପରେ ଶୁକ୍ରବାର କୋର୍ଟ ଚାଲାଣ କରିଥିଲା। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।