ଗୁହାଳରେ ଅଗ୍ନିକାଣ୍ଡ: ୨ ଗୋରୁ ଜୀବନ୍ତ ଦଗ୍ଧ, ୭ ଗୁରୁତର

ପଟ୍ଟାମୁଣ୍ଡାଇ,୬।୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ ନାହିଆଡ଼ିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୪ ଗୁହାଳ ଭସ୍ମୀଭୂତ ହୋଇଛି । ଗୁହାଳରେ ବନ୍ଧା ହୋଇଥିବା ଦୁଇଟି ଗାଈ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୭ଟି ଗାଈ,ବାଛୁରୀ ପୋଡ଼ିହୋଇ ଗୁରୁତର ହୋଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ରାମର ରଘୁନାଥ ବିଶ୍ୱାଳଙ୍କ ଗୁହାଳେ ପ୍ରଥମେ ନିଆଁ ଲାଗି ପାଖରେ ଥିବା ଚୈତନ୍ୟ ବିଶ୍ୱାଳ, କିଶୋର ବିଶ୍ୱାଳ, ନିରାକାର ବିଶ୍ୱାଳଙ୍କ ଗୁହାଳକୁ ବ୍ୟାପୀ ଯାଇଥିଲା। କିଶୋର ଓ ରଘୁନାଥଙ୍କର ଦୁଇଟି ଲେଖାଏ ଗାଈ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ନିରାକାର ଓ ଚୈତନ୍ୟଙ୍କର ୭ଟି ଗାଈ, ବାଛୁରୀ ଅର୍ଦ୍ଧ ଦଗ୍ଧ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ପଟ୍ଟାମୁଣ୍ଡାଇ ବିଡିଓ ପବିତ୍ର ମୋହନ କାନୁନ୍‌ଗୋଙ୍କ ସହ କନିଷ୍ଠଯନ୍ତ୍ରୀ ପ୍ରସନ୍ନ ରାଉତ ପ୍ରମୁଖ ଘଟଣାସ୍ଥଳକୁ ଯାଇଥିଲେ। କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସରପଞ୍ଚ ଅନ୍ନପୂର୍ଣ୍ଣା ସେଠୀ, ସମିତି ସଭ୍ୟା ଦାବି କରିଛନ୍ତି।