ଗୁଳି ଫୁଟାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ୍‌ ଉଦ୍ୟମ

ବାହାନଗା/ସୋର, ୨୮।୧୧(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନାୟକ ବନ୍ଧ ଛକରେ ବୁଧବାର ମଧ୍ୟାହ୍ନରେ ୩ ଜଣ ଡକାୟତ ବାଇକ୍‌ରେ ଆସି ଗୁଳି ଫୁଟାଇ ଏକ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ୍‌ ଉଦ୍ୟମ କରିଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି। ଡକାୟତମାନେ ଘଟଣାସ୍ଥଳରେ ୫ ରାଉଣ୍ଡ ଗୁଳି ଫୁଟାଇଥିବା କୁହାଯାଉଛି। ଗୁଳିକାଣ୍ଡ ବେଳେ ଭୟଭୀତ ହୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀ ତଳେ ପଡିଯାଇଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ଆସି ପହଞ୍ଚିଯିବାରୁ ଡକାୟତମାନେ ଟଙ୍କା ଲୁଟି ନେଇ ନ ପାରି କଳା ପଲସର ସମେତ ଅନ୍ୟ ଜଣେ ବାଇକ୍‌ ଆରୋହୀଙ୍କ ଗାଡି ଛଡାଇନେଇ୧୬ ନମ୍ବର ଜାତୀୟ ରାଜପଥ ଆଡକୁ ପଳାଇ ଯାଇଥିଲେ। ଖବର ପାଇ ଏସ୍‌ଡିପିଓ ପ୍ରଭାଷ ଚନ୍ଦ୍ର ପାଲ ଘଟଣାସ୍ଥଳକୁ ଆସି ତଦନ୍ତ କରୁଛନ୍ତି।
ଉଲ୍ଲେଖନୀୟ ଯେ, ସୋର ସ୍ଥିତ ଏକ ଫାଇନାନ୍ସ କମ୍ପାନୀ ଶାଖା କର୍ମଚାରୀ ସନ୍ତୋଷ କୁମାର ସାହୁ ଅନ୍ୟ ଜଣେ ସହକର୍ମୀଙ୍କ ସହ ଦାଣ୍ଡହରିପୁର ଅଞ୍ଚଳକୁ ଯାଇ ଗ୍ରୁପ୍‌ ସଦସ୍ୟାଙ୍କ ଠାରୁ ପ୍ରାୟ ଦେଢ ଲକ୍ଷ ଟଙ୍କା ଆଦାୟ କରି ଫେରୁଥିଲେ। ୩ ଜଣ ଡକାୟତ ଏକ କଳା ରଙ୍ଗର ପଲସର୍‌ ବାଇକ୍‌ରେ ସେମାନଙ୍କୁ ପିଛା କରି ‘ନାୟକ ବନ୍ଧ’ ଛକରେ ଅଟକାଇଥିଲେ। ପରେ ଚଳାଇଥିବା ୫ ରାଉଣ୍ଡ ଗୁଳି ମଧ୍ୟରୁ ଗୋଟିଏ ଗୁଳି ଫାଇନାନ୍ସ କର୍ମଚାରୀଙ୍କ ବାଇକ୍‌ରେ ବାଜିଥିବା କୁହାଯାଉଛି। ଏ ନେଇ ପୋଲିସ ତନାଘନା ଜାରି ରଖିଛି।