ଗୁରୁବାର ରଥଯାତ୍ରା: ବାଲୁକାକଳାରେ ଭକ୍ତ ଦାସିଆଙ୍କୁ ମନେପକାଇଲେ ଶିଳ୍ପୀ ସୁଦର୍ଶନ

ଭୁବନେଶ୍ୱର,୩।୭(ବ୍ୟୁରୋ): ଗୁରୁବାର ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏହି ଉପଲକ୍ଷେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭକ୍ତ ଦାସିଆ ବାଉରୀଙ୍କ କଥାକୁ ମନେପକାଇଦେଇଛନ୍ତି। ପ୍ରତ୍ୟେକଟି ଓଡ଼ିଆ ପ୍ରାଣର ଦେବତାଙ୍କ ଭକ୍ତ ପ୍ରତି ଶ୍ରଦ୍ଧା ଭାବକୁ ସେ ନିଜର କଳା ମାଧ୍ୟମରେ ନିଖୁଣ ପରିପ୍ରକାଶ କରିଛନ୍ତି।

ପୁରୀ ଜିଲା ପିପିଲି ନିକଟବର୍ତ୍ତୀ ବାଲି ଗ୍ରାମର ଏକ ଶୁଦ୍ର ପରିବାରରେ ଜନ୍ମ ହୋଇଥିଲେ ଦାସିଆ। ନୀଚ କୁଳରେ ଜନ୍ମ ହୋଇଥିବା ହେତୁ ଭଗବାନ ଜଗନ୍ନାଥଙ୍କ ଦର୍ଶନ ନ ପାଇ ଜୀବନ ବୃଥା ଯିବ ବୋଲି ମନେ କରୁଥିଲେ। ହେଲେ ଭକ୍ତର ଭାବ ଡୋରରେ ବନ୍ଧା କାଳିଆ ସାଆନ୍ତ ଦାସିଆଙ୍କ ପାଇଁ ରତ୍ନ ସିଂହାସନ ତ୍ୟାଗ କରିଥିଲେ। ବରଦାନ ସ୍ବରୂପ ସେ ଯେବେ ଯାହାବି ଦେବେ ତାହା ଆଦରରେ ଗ୍ରହଣ କରିବେ ବୋଲି କହିଥିଲେ। କିମ୍ବଦନ୍ତୀ ଅନୁଯାୟୀ, ଦାସିଆ ପଠାଇଥିବା ନଡ଼ିଆ, ଆମ୍ବ ଇତ୍ୟାଦିକୁ ପ୍ରଭୁ ସ୍ବହସ୍ତରେ ଗ୍ରହଣ କରିଥିଲେ। ନୀଳଚକ୍ରରୁ ପ୍ରଭୁ ତାଙ୍କୁ ଦେଖାଦେବେ ବୋଲି ଦେଇଥିବା କଥାକୁ ପୂରଣ କରୁଥିଲେ। ଭଗବାନଙ୍କ ପ୍ରତି କୋମଳ ହୃଦୟ ତଥା ସମର୍ପଣ ଭାବ ନିମନ୍ତେ ଦାସିଆଙ୍କୁ ବଡ଼ଭକ୍ତ ତାଲିକାରେ ସ୍ଥାନ ମିଳିଥିଲା।