ଗୁରୁବାର ଭୋଟ ଗଣନା: କେନ୍ଦୁଝର ପ୍ରଶାସନର ପ୍ରସ୍ତୁତି ଶେଷ, କେନ୍ଦ୍ରଗୁଡ଼ିକୁ ମୋବାଇଲ ଫୋନ ମନା

କେନ୍ଦୁଝର,୨୨।୫(ସ୍ବ.ପ୍ର.): ଗୁରୁବାର ୨୦୧୯ ସାଧାରଣ ନିର୍ବାଚନକୁ ନେଇ ଭୋଟ ଗଣନା କରାଯିବ। ଏହାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ଅବଜର୍ଭର ଡ଼. ଓମ ପ୍ରକାଶଙ୍କ ଉପସ୍ଥିତରେ ଏକ ଖବରଦାତା ସମ୍ମିଳନୀରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଆଶିଷ ଥାକରେ ଭୋଟ ଗଣନା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ କହିଥିଲେ। ଭୋଟ ଗଣନା କେନ୍ଦ୍ରକୁ ମୋବାଇଲ ଫୋନ ମନା କରାଯାଇଛି। ଓଡ଼ିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟ, କେନ୍ଦୁଝରରେ କେନ୍ଦୁଝର ଓ ତେଲକୋଇ, କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ, ଶାଳପଡାରେ ଆନନ୍ଦପୁର ଓ ଘସିପୁରା, ଚନ୍ଦ୍ର ଶେଖର ମହାବିଦ୍ୟାଳୟ, ଚମ୍ପୁଆରେ ଚମ୍ପୁଆ ଓ ପାଟଣା ନିର୍ବାଚନ ମଣ୍ଡଳୀର ଭୋଟ ଗଣନା ହେବ ବୋଲି ସୂଚନା ଦିଆଯାଇଛି। ଭୋଟ ଗଣନା ପାଇଁ ତେଲକୋଇ, କେନ୍ଦୁଝର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ୧୦୦ ଜଣ, ଚମ୍ପୁଆ ପାଇଁ ୧୧୫ ଜଣ, ପାଟଣା ପାଇଁ ୧୦୩ ଜଣ, ଆନନ୍ଦପୁର ଓ ଘଷିପୁରା ପାଇଁ ୭୩ ଜଣ କର୍ମଚାରୀ ନିୟୋଜିତ ହେବେ। ତେଲକୋଇ, ପାଟଣା ଓ କେନ୍ଦୁଝର ପାଇଁ ୨୦ ଟି ଲେଖାଏଁ ଟେବୁଲ, ଚମ୍ପୁଆ ପାଇଁ ୨୪, ଆନନ୍ଦପୁର ଓ ଘସିପୁରା ପାଇଁ ୧୪ ଟି ଟେବୁଲରେ ଭୋଟ ଗଣନା ହେବ ବୋଲି ସୂଚନା ଦିଆଯାଇଛି। ଭୋଟ ଗଣନା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଥିବା କୁହାଯାଇଛି।