ଗୁରୁନାନକ ଜୟନ୍ତୀରେ ଯୋଗଦେଲେ ବାଚସ୍ପତି

ଭୁବନେଶ୍ୱର,୧୨।୧୧(ବ୍ୟୁରୋ)- ଓଡ଼ିିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ପଞ୍ଜାବର ସୁଲତାନପୁର ଲୋଧିଠାରେ ଗୁରୁନାନକଙ୍କ ୫୫୦ତମ ଜୟନ୍ତୀ (ପ୍ରକାଶ ପର୍ବ)ରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ଏହି ଉପଲକ୍ଷେ ଐତିହାସିକ ବେର୍‌ସାହିବ୍‌ ଗୁରୁଦ୍ୱାରଠାରେ ଆୟୋଜିତ ସଭାରେ ଯୋଗଦେଇ ଡ. ପାତ୍ର କହିଥିଲେ ଯେ, ଗୁରୁନାନକ ଦେବ ସୁଲତାନପୁର ଲୋଧିଠାରେ ୧୪ ବର୍ଷ ବିତାଇଥିଲେ । ସେ ପ୍ରତ୍ୟହ ପବିତ୍ର କାଲିବେନ୍‌ ନଦୀରେ ସ୍ନାନ କରି ବେର୍‌ ଗଛମୂଳରେ ଧ୍ୟାନ କରୁଥିଲେ । ପ୍ରଥମ ସ୍ନାନ ପରେ ତାଙ୍କର ଦିବ୍ୟଜ୍ଞାନ ପ୍ରାପ୍ତି ହୋଇଥିଲା । ସେହିପରି ଗୁରୁନାନକଙ୍କ ମତରେ କେବଳ ଜଣେ ଈଶ୍ୱର ଅଛନ୍ତି ଓ ସେ ହେଉଛନ୍ତି ସତ୍ୟ ବୋଲି ବାଚସ୍ପତି କହିଥିଲେ । ସେ ପ୍ରଥମ ଶିଖ୍‌ଗୁରୁଙ୍କର ଜୟନ୍ତୀରେ ଯୋଗଦେଇ ନିଜକୁ ଗର୍ବିତ ମନେ କରୁଥିବା ସୂର୍ଯ୍ୟପାତ୍ର କହିଛନ୍ତି। । ବର୍ତ୍ତମାନ ସମୟରେ ନାନକଙ୍କ ଅମୃତବାଣୀର ପ୍ରସଙ୍ଗିକତା ରହିଥିବା ବାଚସ୍ପତି ମତ ରଖିଥିଲେ। ଏହି ଅବସରରେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧ କମିଟିର ଅଧ୍ୟକ୍ଷ ଗୋବିନ୍ଦ ସିଂହ ଲଙ୍ଗ୍‌ୱାଲ୍‌ ଓ ପୂର୍ବତନ ଅଧ୍ୟକ୍ଷା ବିବି ଜାଗିର୍‌ କୌର୍‌ଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ସେହି ଉତ୍ସବରେ ଯୋଗ ଦେଇଥିଲେ।