ଗୁରୁଦ୍ୱାରା ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା:ହତ୍ୟା ମାମଲା ରୁଜୁ, ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ୱର,୧୫ା୬(ବ୍ୟୁରୋ): ଖାରବେଳନଗର ଥାନା ନିକଟ ଗୁରୁଦ୍ୱାରା ପରିସରରୁ ଗୁରୁବାର ସୁବାସ ନାୟକ ନାମକ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହ ଉଦ୍ଧାର ସମୟରେ ତାଙ୍କ ଗୁପ୍ତାଙ୍ଗରୁ ରକ୍ତ ବାହାରୁଥିଲା, ଯାହାକୁ ନେଇ ସୁବାସଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଏହି ଘଟଣା ପରେ ଗୁରୁଦ୍ୱାରା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ବସ୍ତିବାସିନ୍ଦା କ୍ଷତିପୂରଣ ଦାବିରେ ଗୁରୁଦ୍ୱାରାରେ ଭଙ୍ଗାରୁଜା କରିବା ସହ ରାସ୍ତାରୋକୋ କରିଥିଲେ। ଏହି ଘଟଣାକୁ ନେଇ ପୋଲିସ ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ତେବେ ଶୁକ୍ରବାର ପୋଲିସ ଉପରେ ଚାପ ବଢିବାରୁ ଶେଷରେ ହତ୍ୟା ମାମଲା (ନଂ-୧୪୮/୧୯) ରୁଜୁ କରି ତଦନ୍ତ ଚଳାଇଛି। ତେବେ ସୁବାସଙ୍କ ଦେହ କିମ୍ବା ଗୁପ୍ତାଙ୍ଗରେ କୌଣସି କ୍ଷତଚିହ୍ନ ନାହିଁ, ତେଣୁ ରକ୍ତ କେଉଁଠୁ ବାହାରିଲା ତାହାକୁ ନେଇ ପୋଲିସ ତଦନ୍ତ କରୁଛି। ଆତ୍ମହତ୍ୟା ପରେ ମଳଦ୍ୱାରରୁ ରକ୍ତ ବାହାରିଥାଏ। ଏହି ମାମଲାରେ ସେଭଳି ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି। ମାତ୍ର ବ୍ୟବଚ୍ଛେଦ ରିପୋର୍ଟ ଉପରେ ତଦନ୍ତ ପ୍ରକ୍ର୍ରିୟା ଆଗେଇବ। ତେଣୁ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ।
ଶୁକ୍ରବାର ସକାଳେ ପୋଲିସ ଗୁରୁଦ୍ୱାରାକୁ ଯାଇ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପଚରାଉଚରା କରିଛି। ସୁବାସଙ୍କର ଅନ୍ୟ କାହା ସହିତ ଶତ୍ରୁତା କିମ୍ବା କୌଣସି ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା କି ନାହିଁ ଆଦି ବିଭିନ୍ନ ଦିଗକୁ ନେଇ ଗୁରୁଦ୍ୱାରା କର୍ମଚାରୀଙ୍କୁ ଜେରା କରାଯାଇଛି। ହେଲେ ସେଭଳି କିଛି ସୂଚନା ମିଳି ନ ଥିବା ପୋଲିସ କହିଛି। ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲରେ ସୁବାସଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୁବାସଙ୍କ ପରିବାରବର୍ଗଙ୍କ ଦାବି ମୁତାବକ କ୍ଷତିପୂରଣ ଦେବାକୁ ଗୁରୁଦ୍ୱାରା କର୍ତ୍ତୃପକ୍ଷ ରାଜି ହୋଇଛନ୍ତି। ତାଙ୍କ ପରିବାର ଲୋକଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ ନିମନ୍ତେ ପ୍ରତିଶ୍ରୁତି ଦିଆଯାଇଛି।
ସୂଚନାଯୋଗ୍ୟ, ସୁବାସଙ୍କ ବାପା ୧୨ବର୍ଷ ହେବ ଉକ୍ତ ଗୁରୁଦ୍ୱାରାରେ କାମ କରନ୍ତି। ସେ ସୁବାସଙ୍କୁ ଆଣି ସେଠାରେ କାମରେ ରଖାଇଥିଲେ। ସୁବାସ ଅନେକ ସମୟରେ ଘରକୁ ନ ଆସି ସେଠାରେ ରାତିରେ ରହିଯାଆନ୍ତି। ସବୁଦିନ ପରି ଗୁରୁବାର ସେ କାମ କରିବାକୁ ଗୁରୁଦ୍ୱାରା ଯାଇଥିଲେ। ହେଲେ ଅପରାହ୍ନରେ ଘରକୁ ଫେରି ନ ଥିଲେ। ପରିବାର ଲୋକଙ୍କ ସନ୍ଦେହ ହେବାରୁ ସେମାନେ ଗୁରୁଦ୍ୱାରା ଯାଇ ଖୋଜାଖୋଜି କରିଥିଲେ। ଗୁରୁଦ୍ୱାରା ପରିସରରେ ଥିବା ହୋମିଓପାଥିକ କ୍ଲିନିକ୍‌ର ପ୍ରଥମ ମହଲାରୁ ସୁବାସଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ବେକରେ କପଡ଼ା ବାନ୍ଧି ଫ୍ୟାନରେ ଝୁଲୁଥିବାବେଳେ ଗୁପ୍ତାଙ୍ଗରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତେଣୁ ଏହା ହତ୍ୟା ବୋଲି ପରିବାର ଲୋକେ ଅଭିିଯୋଗ ଆଣି ତଦନ୍ତ ଦାବି କରିଥିଲେ।