ଗୁରୁଦିବସରେ ଗୁରୁଙ୍କୁ ଏମିତି ମନେ ପକାଇଲେ ସଲମାନ

ଆଜି ପବିତ୍ର ଗୁରୁଦିବସ। ଗୁରୁଙ୍କ ବିନା ଜୀବନ ଅନ୍ଧକାରମୟ। ତେଣୁ ଗୁରୁଙ୍କୁ ସମ୍ମାନ ଜଣାଇବା ପାଇଁ ଏହି ଦିନଟି ଗୁରୁତ୍ୱପୂର୍ଣ୍ଣ। ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ ବି ଏଥିରୁ ବାଦ୍‌ ପଡ଼ିନାହାନ୍ତି। ସଲମାନଙ୍କ ତାଙ୍କ ଗୁରୁଙ୍କୁ ମନେ ପକାଇ ପିଲାଦିନର ସ୍ମୃତିକୁ ତାଜା କରିଛନ୍ତି। ସେ ବହୁ ଶିକ୍ଷକଙ୍କଠାରୁ ଶିକ୍ଷାଗ୍ରହଣ କରିଛନ୍ତି। ମାତ୍ର ଫାଦର ଆଲିୟୋ ତାଙ୍କର ପ୍ରିୟ ଶିକ୍ଷକ। ସଲମାନ କୁହନ୍ତି, ଯେତେବେଳେ ମାଟ୍ରିକ୍‌ ପାସ କଲେ ଶିକ୍ଷକ ଫାଦର ତାଙ୍କୁ ପଚାରିଥିଲେ ଏହା ପରେ କ’ଣ ପଢ଼ିବାକୁ ଚାହୁଁଛ। ସେ କହିଥିଲେ ସାର୍‌ ଜେଜେ ସ୍କୁଲ୍‌ ଅଫ୍‌ ଆର୍ଟସ୍‌ ଯିବାକୁ ଚାହୁଁଛି। ଏଥିରେ ଶିକ୍ଷକ ଖୁସି ହୋଇଯାଇଥିଲେ। କହିଥିଲେ ମୁଁ ତୁମ ପାଇଁ ଗର୍ବିତ। ପରେ ସଲମାନ ସେଣ୍ଟ ଜାଭିୟର ସ୍କୁଲରେ ଆଡ୍‌ମିଶନ ନେଇଥିଲେ। କାରଣ ସେଠାକାର ପରିବେଶ ବହୁତ ଭଲ ଥିଲା। ସେତେବେଳେ ଯେଉଁମାନେ ଆର୍ଟସ ନେଉଥିଲେ ଲୋକଙ୍କ ଧାରଣା ଥିଲା ଗଧ ପିଲା। କେବଳ ଟାଇମ୍‌ପାସ ପାଇଁ କଲେଜ ଆସୁଛନ୍ତି। ତେଣୁ ସେ ସାଇନ୍‌ସ ନେଇ ପଢ଼ିଲେ। ଘରକୁ ଆସିବା ପରେ ସମସ୍ତେ ଖୁସି ହୋଇଯାଇଥିଲେ। କାରଣ ଭବିଷ୍ୟତରେ ସେ ଜଣେ ଡାକ୍ତର ହେବେ। କିନ୍ତୁ ସଲମାନଙ୍କ ପିତା ଜାଣିଥିଲେ ତାଙ୍କ ଭିତରେ ଆର୍ଟସର ରୁଚି ରହିଛି। ତେଣୁ ସେ କହିଥିଲେ, ୨ ମାସ ଯଦି ସେ ସାଇନ୍‌ସ ନେଇ ପଢ଼ିବ ତେବେ ସେ ତାଙ୍କ ନାଁ ବଦଳାଇ ଦେବେ ବୋଲି। କିଛି ଦିନ ପରେ ଶିକ୍ଷକ ଫାଦର୍‌ ସଲମାନ୍‌ଙ୍କ ଘରକୁ ଆସିଥିଲେ। ସଲମାନ୍‌ ସାଇନ୍‌ସ ନେଇ ପଢ଼ୁଥିବା ଶିକ୍ଷକ ଫାଦର ଜାଣି ସାରିଥିଲେ। ତେଣୁ ସେଠାରେ ହିଁ ଶିକ୍ଷକ ସଲମାନଙ୍କୁ ଜୋର୍‌ରେ ଗୋଟିଏ ଚାପୁଡ଼ା ପକାଇଥିଲେ, ଯାହା ଆଜି ଯାଏ ତାଙ୍କର ମନେ ଅଛି। ସଲମାନ କୁହନ୍ତି, ଆଜି ମୋ’ ଶିକ୍ଷକ ନାହାନ୍ତି, କିଛି ବର୍ଷ ପୂର୍ବେ ତାଙ୍କର କ୍ୟାନ୍‌ସରରେ ମୃତ୍ୟୁ ଘଟିଛି। ଯାହା ତାଙ୍କୁ ବହୁତ କଷ୍ଟ ଦେଇଛି।

Share