ଗୁରୁତ୍ୱ ହରାଇଛି ଦୋଳସାହି ହାଟ, ପଡ଼ିଆ ଫାଙ୍କା

ତିହିଡ଼ି,୨୨ା୧୦(ଡି.ଏନ.ଏ.)-ଏକଦା ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଦୋଳସାହି ଗୋରୁହାଟ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଥିଲା। ପ୍ରତି ମଙ୍ଗଳବାର ହାଟପାଳିରେ ରାତି ପର୍ଯ୍ୟନ୍ତ ଗହଳଚହଳ ଲାଗି ରହୁଥିଲା। ଗୋରୁ ବେପାରୀ ଓ ଗୋପାଳକଙ୍କ ସମେତ ବ୍ୟବସାୟିକ ଭିତ୍ତିଭୂମି ନେଇ ଏହି ହାଟ ଅଞ୍ଚଳବାସୀଙ୍କ ଲାଗି ଗୁରୁତ୍ୱ ରଖୁଥିଲା। ଏବେକାର ସ୍ଥିତି ବଦଳିଯାଇଛି। ହାଟପାଳିରେ ବି ପଡ଼ିଆ ଫାଙ୍କା ପଡୁୁଛି। ଅଳ୍ପ କେତେକ ବେପାରୀ ନାମକୁ ମାତ୍ର ହାଟକୁ ଆସି ଘଣ୍ଟାଏ ଭିତରେ ଚାଲିଯାଉଛନ୍ତି। ବଳଦ କିଣାବିକା କାରବାର ହ୍ରାସ ଯୋଗୁ ଉକ୍ତ ହାଟ ଏକପ୍ରକାର ବନ୍ଦ ହୋଇଯିବାକୁ ବସିଛି।  ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି ଯେ, ଚାଷ କାର୍ଯ୍ୟରେ ଏବେ ଆଗ ଭଳି ଆଉ ବଳଦଙ୍କ ବ୍ୟବହାର ଦେଖିବାକୁ ମିଳୁନାହିଁ । ଟ୍ରାକ୍ଟର ଓ ପାୱାର ଟିଲରେ ଚାଷ କରାଯାଉଛି।

ଏଥିଲାଗି ବଳଦ ଓ ଦାମୁଡ଼ି କିଣାବିକା କାରବାର ହେଉନାହିଁ ା ପୂର୍ବରୁ ଭଦ୍ରକ, ତିହିଡ଼ି, ଚାନ୍ଦବାଲି ବ୍ଲକ ସମେତ ପଡ଼ୋଶୀ କେନ୍ଦ୍ରାପଡ଼ା ଜିଲାର ରାଜକନିକା, ଓଳାଭର ଆଦି ଅଞ୍ଚଳରୁ ଗୋରୁବେପାରୀ ଗୋରୁ ନେଇ ଏହି ହାଟକୁ ଆସୁଥିଲେ। ଚାଷୀମାନେ ବଳଦ କିଣିବାକୁ ଆସି ହାଟରେ ଭିଡ଼ ଜମାଉଥିଲେ। ଏପରିକି ଶଗଡ଼ ପାଇଁ ଉନ୍ନତ କିସମର ବଳଦ କିଣାଯାଉଥିଲା। ଡିସେମ୍ବରଠାରୁ ଜୁନ୍‌ ପର୍ଯ୍ୟନ୍ତ ଭଲ ବ୍ୟବସାୟ ହେଉଥିଲା। ଗୋଚାଲାଣ ଉପରେ କଟକଣା ଜାରି ହେବା ପରେ ଅନେକ ବେପାରୀ ବ୍ୟବସାୟ ଛାଡ଼ି ଦେଲେଣି, ଯାହାର ପ୍ରଭାବ ଏହି ହାଟ ଉପରେ ପଡିଥିବା ବେପାରୀମାନେ କହିଛନ୍ତି।

ପ୍ରାଣୀ ବିଭାଗର ସୂଚନା ଅନୁଯାୟୀ ୨୦୧୨ରେ ତିହିଡ଼ି ବ୍ଲକରେ ପ୍ରାଣୀ ଗଣନା କରାଯାଇଥିଲା। ସେତେବେଳେ ବ୍ଲକରେ ମୋଟ ଗୋରୁଙ୍କ ସଂଖ୍ୟା ଥିଲା ୪୭,୪୬୦। ଗତ ୭ ବର୍ଷ ମଧ୍ୟରେ ବଳଦ ସଂଖ୍ୟା କମିଥିଲେ ବି ଗାଈ ସଂଖ୍ୟା ବୃଦ୍ଧି ପାଇଥିବାରୁ ମୋଟ ସଂଖ୍ୟା ୫୦ ହଜାର ହେବ ବୋଲି ବିଭାଗ ପକ୍ଷରୁ କୁହାଯାଉଛି। ଏ ସମ୍ପର୍କରେ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ରଞ୍ଜନ କୁମାର ଦାସଙ୍କୁ ପଚାରିବାରୁ ଗୋରୁ ବ୍ୟବସାୟରେ କଟକଣା ଏବଂ ଆଧୁନିକ ପଦ୍ଧତିରେ ଚାଷକାର୍ଯ୍ୟ ହେବା ଯୋଗୁ ଦୋଳସାହି ଗୋରୁହାଟ ଗୁରୁତ୍ୱ ହରାଇ ବସିଥିବା କହିଛନ୍ତି।