ଗୁରୁତୁଲ୍ୟ ଶିକ୍ଷକ ଓ ଶିଷ୍ୟତୁଲ୍ୟ ଛାତ୍ର

ରତୀୟ ପରମ୍ପରାରେ ଗୁରୁ କେବଳ ଜଣେ ବ୍ୟକ୍ତି ନୁହନ୍ତି, ବରଂ ଏକ ଶକ୍ତିର ଉତ୍ସ ବା ଜୀବନ ଗଢ଼ିବାର ମହାସୂତ୍ର। ଗୁରୁଙ୍କ ଆଚରଣରେ ଥାଏ ଅମୃତର ପ୍ରଲେପ। ତାଙ୍କର ପ୍ରତିଟି ଚିନ୍ତା ଓ ଚେତନାରେ ପ୍ରକାଶ ପାଏ ଐଶ୍ବରିକ ବିଭୂତି। ସେ ସାଧାରଣ ମନେହେଲେ ବି ଅସାଧାରଣ। ମଣିଷ ହେଲେ ବି ଦେବତା। ସେଥିପାଇଁ କୁହାଯାଏ-”ଗୁରୁର୍ବ୍ରହ୍ମା ଗୁରୁର୍ବିଷ୍ଣୁ ଗୁରୁଦେବ ମହେଶ୍ବର, ଗୁରୁ ସାକ୍ଷାତ୍‌ ପରଂବ୍ରହ୍ମ ତସ୍ମୈ ଶ୍ରୀଗୁରବେ ନମଃ।“
ଗୁରୁକୁଳ ଆଶ୍ରମ ଥିଲା ଆମ ଶିକ୍ଷା ବ୍ୟବସ୍ଥାର ମୂଳସୂତ୍ର। ଲୋକାଳୟର କୋଳାହଳମୟ ପରିବେଶଠାରୁ ବହୁ ଦୂରରେ ଗୁରୁକୁଳ ଆଶ୍ରମମାନ ଗଢି ବିଦ୍ୟା ବିତରଣ କରୁଥିଲେ ବ୍ୟାସ, ବାଲ୍ମୀକି, ବଶିଷ୍ଠ ଓ ସନ୍ଦିପନୀଙ୍କ ପରି ସମର୍ଥ ଗୁରୁ। ଆତ୍ମସଂଯମ ଓ ଆତ୍ମଶୃଙ୍ଖଳା ବଳରେ ସେମାନେ ଶିଷ୍ୟମାନଙ୍କୁ ପ୍ରଦାନ କରୁଥିଲେ ଆଲୋକ ଓ ଅମୃତ ପଥରେ ଯାତ୍ରୀ ହେବାର ମନ୍ତ୍ର। ନିଜର ସାଧନାଲବ୍ଧ ଦିବ୍ୟଜ୍ଞାନକୁ ସମାଜ କଲ୍ୟାଣ ନିମନ୍ତେ ବିତରଣ କରିବା ଥିଲା ସେମାନଙ୍କର ଲକ୍ଷ୍ୟ। ସେଥିପାଇଁ ସେଠାରେ ପାଠ୍ୟ ଖସଡ଼ା ଓ ଶାସ୍ତ୍ର ଅଧ୍ୟୟନଠାରୁ ଅଧିକ ଗୁରୁତ୍ୱ ଲଭିଥିଲା ଶ୍ରମ, ଶୃଙ୍ଖଳା,ସଂଯମ ଓ ସଂସ୍କାର। ଇନ୍ଦ୍ରିୟାନୁଗତ ବୌଦ୍ଧିକତା ଭିତ୍ତିରେ ଗୁରୁ ପରଖୁଥିଲେ ଶିଷ୍ୟର ଜ୍ଞାନ।
ଆଶ୍ରମ ଯୁଗର ଅବସାନ ପରେ ଆରମ୍ଭ ହେଲା ଚାଟଶାଳୀ ଶିକ୍ଷା ବ୍ୟବସ୍ଥା। ଲୋକାଳୟ ଭିତରେ ଚାଟଶାଳୀ ଗଢ଼ି ଶିକ୍ଷାଦାନ କଲେ ଅବଧାନେ। ଝାଟିମାଟି ଘର ଚାଟଶାଳୀରେ କଡ଼ାକଡ଼ି ଭାବେ ପାଳନ ହେଲା ଗୁରୁକୁଳ ଆଶ୍ରମର ଶୈକ୍ଷିକ ଶୃଙ୍ଖଳା। ମାନବିକତା ଓ ମୂଲ୍ୟବୋଧର ବିକାଶ ନିମନ୍ତେ ଏଠାରେ ପର୍ଯ୍ୟାୟକ୍ରମରେ ସ୍ଥାନ ପାଇଲା ପଞ୍ଚତନ୍ତ୍ର ଓ ହିତୋପଦେଶର ଲୋକଶିକ୍ଷାମୂଳକ କାହାଣୀ। ଗୁରୁକୁଳ ଆଶ୍ରମ ପରି ଏଠାରେ ଅନୁଶାସନ କଠୋର ହେଲେ ବି ଅବଧାନଙ୍କ ବାତ୍ସଲ୍ୟ ଓ ଅନାବିଳ ଆତ୍ମୀୟତାରେ ଅଭିମନ୍ତ୍ରିତ ହୋଇପଡ଼ିଥିଲା ଗୁରୁଶିଷ୍ୟ ସମ୍ପର୍କ। ତେଣୁ ସାରା ଜୀବନ ସ୍ମୃତିପଟରେ ସାଇତାହୋଇ ରହୁଥିଲା ଚାଟଶାଳୀରେ ବିଦ୍ୟାରମ୍ଭର ପୁଲକ ଓ ପ୍ରେରଣାର ଅନୁଭବ। ସେକଥା ପ୍ରକାଶ କରିବାକୁ ଯାଇ କବି କାଳିନ୍ଦୀଚରଣ ପାଣିଗ୍ରାହୀ ଲେଖିଛନ୍ତି-”ମନେଅଛି ମୋର ଗ୍ରାମ ଚାଟଶାଳୀ ଚିହ୍ନିଥିଲି ଯହିଁ ଅକ୍ଷର ଆଗେ, ସରୁ ଦାଣ୍ଡ କଡ଼େ ଚାଳଘର ଖଣ୍ଡେ ଯାଇଥିଲି ଦିନେ ବାପାଙ୍କ ସାଙ୍ଗେ।“
କେବଳ ପ୍ରାଥମିକ ଶିକ୍ଷା ନୁହେଁ, ଗୁରୁକୁଳ ଶିକ୍ଷା ଆଦର୍ଶର ଭିତ୍ତି ଉପରେ ସ୍ଥାପନ ହେଲା ମାଧ୍ୟମିକ ଓ ଉଚ୍ଚଶିକ୍ଷା ବ୍ୟବସ୍ଥା। ବିଦ୍ୟାଳୟ , ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ନିୟୋଜିତ ହେଲେ ଗୁରୁତୁଲ୍ୟ ଶିକ୍ଷକ ଓ ଅଧ୍ୟାପକ। ଗୁରୁ ଆଧ୍ୟାତ୍ମିକ ଜ୍ଞାନର ମାର୍ଗଦର୍ଶକ ହୋଇଥିବା ସ୍ଥଳେ ଶିକ୍ଷକ ହେଉଛନ୍ତି ପାର୍ଥିବ ଜ୍ଞାନର ମାର୍ଗଦର୍ଶକ ବା ଉପଦେଷ୍ଟା। ସାହିତ୍ୟ,ବିଜ୍ଞାନ, ଭୂଗୋଳ ଓ ଇତିହାସ ଆଦି ବିଷୟରେ ଶିକ୍ଷାଦାନ କରୁଥିବା ଶିକ୍ଷକମାନେ ହୁଏତ ଗୁରୁ ପଦବାଚ୍ୟ ନ ହୋଇପାରନ୍ତି, କିନ୍ତୁ ଯେଉଁ ଶିକ୍ଷକମାନେ ନିଷ୍ଠାପର, ସମଦର୍ଶୀ , ସତ୍ୟନିଷ୍ଠ ଓ ଗୁରୁଙ୍କ ଭଳି ଆଚରଣ ସିଦ୍ଧ ସେମାନେ ନିଶ୍ଚୟ ଗୁରୁତୁଲ୍ୟ। ଶିକ୍ଷକଙ୍କ ଉପରେ ଥାଏ ନିଜେ ଶିଖି ଛାତ୍ରୀଛାତ୍ରଙ୍କୁ ଶିଖେଇବାର ଦାୟିତ୍ୱ। ଶିଖାଇବା ଅର୍ଥ ସତ୍‌ମାର୍ଗ ଦେଖାଇବା। ଅର୍ଥାତ୍‌ କେବଳ ପଢ଼ି ପଢ଼ାଇଦେଲେ ବା ବୁଝି ବୁଝେଇଦେଲେ ଜଣେ ଶିକ୍ଷକ ହୁଏ ନାହିଁ, ଏଥିପାଇଁ ସ୍ନେହସିକ୍ତ ହୃଦୟବତ୍ତା ଓ ଅକପଟ ଆନ୍ତରିକତା ଇତ୍ୟାଦି ରହିବା ଜରୁରୀ। ତେଣୁ ଶ୍ରୀଅରବିନ୍ଦ କହନ୍ତି, ”ଶିକ୍ଷକ ହେଉଛନ୍ତି ଜଣେ ସାଧକ। ତାଙ୍କର ଜୀବନ ହେଉଛି ସାଧନାର ଜୀବନ। ଏ ସାଧନା ହେଉଛି ସଚେତନତାର ଏକ କୀର୍ତ୍ତିସ୍ତମ୍ଭ।“
ଉପନିଷଦୀୟ ଭାଷାରେ ଗୁରୁଙ୍କ ଶରଣାପନ୍ନ ଆଧ୍ୟାତ୍ମ ବିଦ୍ୟା ସନ୍ଧାନୀଙ୍କୁ କୁହାଯାଏ ଶିଷ୍ୟ। ସ୍ବାମୀ ବିବେକାନନ୍ଦଙ୍କ ମତରେ ଗୁରୁଙ୍କ ଆତ୍ମାରୁ ଏକ ଶକ୍ତି ବା ଜ୍ଞାନାଲୋକ ସଞ୍ଚରିଆସେ ଏବଂ ତାହା ଯେଉଁ ଆତ୍ମାରେ ପ୍ରବେଶ କରେ, ସେ ଶିଷ୍ୟ। ଶକ୍ତି ପ୍ରାୟତଃ ସେହି ଆତ୍ମାରେ ପ୍ରବେଶ କରେ ଯିଏ ଗୁରୁଙ୍କ ପ୍ରତି ଏକାନ୍ତ ନିଷ୍ଠାପର। ଆରୁଣିର ପାଣି ମଡ଼ାଇବା ହେଉ କି ଉପମନ୍ୟୁର ଗାଈ ଜଗିବା ହେଉ, ତାହା ସେମାନଙ୍କ ଗୁରୁଭକ୍ତିର ବିରଳ ନିଦର୍ଶନ। ସେହି ଆଧ୍ୟାତ୍ମିକ ଜ୍ଞାନ ସନ୍ଧାନୀ ଶିଷ୍ୟମାନଙ୍କ ଭଳି ଜଣେ ଛାତ୍ର ଯଦି ଆଚରଣ ପ୍ରଦର୍ଶନ କରେ,ତେବେ ତାକୁ ଶିଷ୍ୟ ନ ହେଲେ ବି କୁହାଯିବ ଶିଷ୍ୟତୁଲ୍ୟ ଛାତ୍ର। ଶିଷ୍ୟତୁଲ୍ୟ ଛାତ୍ର କେବଳ ଗୁରୁତୁଲ୍ୟ ଶିକ୍ଷକମାନେ ସୃଷ୍ଟି କରିପାରନ୍ତି, ଯେଉଁମାନଙ୍କ ବ୍ୟକ୍ତିତ୍ୱର ଥାଏ ଏକ ସ୍ବତନ୍ତ୍ର ପରିଚୟ। ସେମାନେ ପ୍ରାୟତଃ ଆଜୀବନ ବିଦ୍ୟାର୍ଥୀ। ଜ୍ଞାନ ସେମାନଙ୍କ ଶକ୍ତି ଓ ସାମର୍ଥ୍ୟର ଉତ୍ସ। ଅଧ୍ୟାପନା ସେମାନଙ୍କ ପାଇଁ ବୃତ୍ତି ନୁହେଁ, ପ୍ରବୃତ୍ତି। ପେସା ନୁହେଁ, ନିଶା। କେବଳ ଶିକ୍ଷାନୁଷ୍ଠାନ ଭିତରେ ନୁହେଁ, ସମଗ୍ର ମାନବ ଜାତି ପାଇଁ ଏମାନେ ଏକ ଏକ ଆଲୋକବର୍ତ୍ତିକା। ସେଭଳି ମହାନ୍‌ ଶିକ୍ଷକଙ୍କ କଥା ଉଠିଲେ ପ୍ରଥମେ ଆଖି ଆଗକୁ ଆସନ୍ତି ଆମ ଦେଶର ୩ଜଣ ରାଷ୍ଟ୍ରପତି ସର୍ବପଲ୍ଲୀ ଡ. ରାଧାକୃଷ୍ଣନ, ଡ. ଏ. ପି. ଜେ. ଅବଦୁଲ କଲାମ ଓ ଡ. ଶଙ୍କର ଦୟାଲ ଶର୍ମା।
ଓମାନ ରାଜଧାନୀ ମସ୍କାଟ୍‌ ବିମାନବନ୍ଦରରେ ପହଞ୍ଚିବାର ଥାଏ ଭାରତର ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମାଙ୍କ ବିମାନ। ସେଠାରେ ପ୍ରତୀକ୍ଷାରେ ଥାଆନ୍ତି ଓମାନ୍‌ ସମ୍ରାଟ। ବିମାନ ଅବତରଣ କରିବା ମାତ୍ରେ ସମ୍ରାଟ ତା’ ଭିତରକୁ ପଶିଗଲେ ଅଭିବାଦନ ଜଣାଇବା ପାଇଁ। ବିମାନରୁ ପାଛୋଟି ନେଇ ରାଷ୍ଟ୍ରପତି ଦମ୍ପତିଙ୍କୁ ଗାଡ଼ିରେ ବସାଇଲେ ଏବଂ ଡ୍ରାଇଭରକୁ ଓହ୍ଲେଇ ଦେଇ ନିଜେ ବସିଗଲେ ଚାଳକ ଆସନରେ। ଗାଡ଼ି ଚାଲିଲା ରାଜପ୍ରାସାଦ ଅଭିମୁଖେ। ବିସ୍ମିତ ଓ ଅଭିଭୂତ ହେଲେ ଓମାନ୍‌ର ଉଚ୍ଚ ଅଧିକାରୀ ଓ ସାମ୍ବାଦିକ। ସେଦିନ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ସାମ୍ବାଦିକ ସମ୍ମିଳନୀରେ ଜଣେ ଗଣମାଧ୍ୟମ ପ୍ରତିନିଧି ସମ୍ରାଟଙ୍କୁ ପ୍ରଶ୍ନ କଲେ, କୌଣସି ରାଷ୍ଟ୍ରମୁଖ୍ୟଙ୍କୁ ସ୍ବାଗତ କରିବା ପାଇଁ ଓମାନ୍‌ ସମ୍ରାଟ କେବେ ବିମାନବନ୍ଦରକୁ ଆସନ୍ତିନାହିଁ। ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ବି ଆପଣ ଆସି ନ ଥିଲେ, ଅଥଚ ଭାରତର ରାଷ୍ଟ୍ରପତିଙ୍କୁ ସ୍ବାଗତ ଜଣାଇବା ପାଇଁ ଆପଣ ସ୍ବୟଂ ବିମାନବନ୍ଦରକୁ ଗଲେ , ପ୍ରୋଟୋକଲ ଭାଙ୍ଗି ବିମାନ ଭିତରକୁ ପ୍ରବେଶ କଲେ ଏବଂ ପୁଣି ନିଜେ ଗାଡ଼ି ଚଳାଇ ଅତିଥିଙ୍କୁ ରାଜପ୍ରାସାଦ ଆଣିଲେ। କ’ଣ ହୋଇପାରେ ଏହାର କାରଣ ? ଓମାନ୍‌ର ଯୁବସମ୍ରାଟ ହସିଦେଇ କହିଲେ, ”ମୁଁ ଭାରତର ରାଷ୍ଟ୍ରପତିଙ୍କୁ ସ୍ବାଗତ ଜଣାଇବା ପାଇଁ ଯାଇ ନ ଥିଲି, ବରଂ ଯାଇଥିଲି ଜଣେ ବିଦ୍ୟା ପ୍ରଦାତାଙ୍କ ଅଭ୍ୟର୍ଥନା ପାଇଁ। ମୁଁ ପୁଣେରେ ପଢୁଥିବା ବେଳେ ଡ.ଶର୍ମା ଥିଲେ ମୋର ଅଧ୍ୟାପକ। ସେ ହିଁ ମୋ ଜୀବନର ନିର୍ମାତା। ତେଣୁ ଛାତ୍ର ଭାବରେ ତାଙ୍କର ପୂଜା କରିବା ମୋର ପ୍ରଥମ କର୍ତ୍ତବ୍ୟ। ଏକଥା ପ୍ରମାଣକରେ ଯେ
ଭାରତର ରାଷ୍ଟ୍ରପତି ଯେମିତି ଜଣେ ଗୁରୁତୁଲ୍ୟ ଶିକ୍ଷକ ଥିଲେ, ସେମିତି ଓମାନ୍‌ର ଯୁବ ସମ୍ରାଟ ଥିଲେ ଜଣେ ଶିଷ୍ୟତୁଲ୍ୟ ଛାତ୍ର। କିନ୍ତୁ ଅତୀତର ସେ ପରମ୍ପରା ଆଜି କାହିଁ ?
ଅବସରପ୍ରାପ୍ତ ଅଧ୍ୟକ୍ଷ, ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ-୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri