ଗୁରୁତର କରୋନା ସଂକ୍ରମିତଙ୍କୁ ଶାନ୍ତି ମୃତ୍ୟୁ: ବ୍ରିଟେନ୍‌ରେ ଅଫ୍‌ କରି ଦିଆଯାଉଛି ଭେଣ୍ଟିଲେଟର ସ୍ବିଚ୍‌ !

ଲଣ୍ଡନ,୧୮।୪: କରୋନା ବିରୋଧରେ ସାରା ପୃଥିବୀରେ ଲଢ଼େଇ ଜାରି ରହିଛି। ବ୍ରିଟେନ୍‌ରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ତଥା ସ୍ବାସ୍ଥ୍ୟକ୍ରର୍ମୀ ଅଧିକ ବିସାଦଗ୍ରସ୍ତ ହେଉଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। ଏଠାରେ ଗୁରୁତର କରୋନା ସଂକ୍ରମିତଙ୍କୁ ଅଧିକ ଯନ୍ତ୍ରଣା ନ ଦେବା ଲାଗି ହସ୍ପିଟାଲ କର୍ତ୍ତୃପକ୍ଷ ଏକ ପଦକ୍ଷେପ ଆପଣେଉଛନ୍ତି। ଏଭଳି ସଂକ୍ରମିତଙ୍କୁ ବଞ୍ଚାଇବା ଅସମ୍ଭବ ହେଉଥିବାରୁ ଏପରି କରାଯାଉଛି। ଏହା ଅମାନବୀୟ ହେଲେ ମଧ୍ୟ ବାଧ୍ୟ ହୋଇ ଏପରି କରାଯାଉଥିବା ସେଠାରେ କାର୍ଯ୍ୟ କରୁଥିବା ମୂଳଭାରତୀୟ ଜୁନିତା ନିତଲା କହିଛନ୍ତି। ଏଭଳି କାର୍ଯ୍ୟ ଡାକ୍ତରୀ ପେଶାଦାରଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହେଲେ ମଧ୍ୟ ସଂକ୍ରମିତଙ୍କୁ ଯନ୍ତ୍ରଣାରୁ ମୁକ୍ତି ଦେବା ସହିତ ଶାନ୍ତି ମୃତ୍ୟୁ ଲାଗି ହସ୍ପିଟାଲ କର୍ତ୍ତୃପକ୍ଷ କାର୍ଯ୍ୟରେ ଥିବା ଡାକ୍ତର, ନର୍ସଙ୍କୁ ଗୁରୁତର ସଂକ୍ରମିତଙ୍କ ଭେଣ୍ଟିଲେଟର ସ୍ବିଚ୍‌ ଅଫ୍‌ କରିବାକୁ କୁହାଯାଉଥିବା ନିତଲା କହିଛନ୍ତି। ସ୍ବିଚ୍‌ ଅଫ୍‌ କରିବା ପରେ ଡାକ୍ତର ଅବା ନର୍ସ କାହାରି ପାଟିରୁ କିଛି ସମୟ ପାଇଁ ପଦୁଟିଏ କଥା ମଧ୍ୟ ବାହାରି ପାରୁ ନ ଥିବା ସେ କହିଛନ୍ତି। ଜୀବନ ରକ୍ଷା କରିବା ଡାକ୍ତରୀ ପେଶାଦାରଙ୍କ ମୂଳମନ୍ତ୍ର ହୋଇଥିଲେ ମଧ୍ୟ ବାଧ୍ୟ ହୋଇ ଏହା କରାଯାଉଥିବା ନିତଲା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଦକ୍ଷିଣଭାରତରେ ଜନ୍ମ ହୋଇଥିବା ୪୨ ବର୍ଷ ବୟସ୍କା ନିତଲା ଗତ ୧୬ ବର୍ଷ ଧରି ବ୍ରିଟେନ୍‌ରେ ଆଇସିୟୁରେ ନର୍ସ ଭାବେ କାର୍ଯ୍ୟ କରୁଛନ୍ତି।

Share