ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ନଓ୍ବାଜ

ଇସ୍‌ଲାମାବାଦ୍‌,୨୨।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ଜେଲ୍‌ରେ ବନ୍ଦୀ ଥିବା ନଓ୍ବାଜଙ୍କ ସୋମବାର ବିଳମ୍ବିତ ରାତିରେ ବ୍ଲଡ ପ୍ଲେଟଲେଟ କାଉଣ୍ଟ ତଳ ସ୍ତରକୁ ଚାଲିଯାଇଛି। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଲାହୋରର ଏକ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁସାରେ ସାଧାରଣତଃ ବ୍ଲଡ ପ୍ଲେଟଲେଟ କାଉଣ୍ଟ ୧,୪୦,୦୦୦ରୁ ୪,୫୦,୦୦୦ ଭିତରେ ରହିବା କଥା, ହେଲେ ଶରିଫଙ୍କର ଏହା ତଳ ସ୍ତରକୁ ହ୍ରାସ ପାଇ ୧୨,୦୦୦ ହୋଇଯାଇଛି। ଫଳରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଛି। ଡା. ଅଦନାନ ଖାନ ଓ ତାଙ୍କର ଏକ ଡାକ୍ତରୀ ଦଳ ଶରିଫଙ୍କ ଚିକିତ୍ସା କରୁଥିବା ସୂଚନା ମିଳିଛି। ଅନ୍ୟପଟେ ପାକିସ୍ତାନ ଲିଗ୍‌ର ଅଧ୍ୟକ୍ଷ ତଥା ଶରିଫଙ୍କ ଭାଇ ଶାହବାଜ ଶରିଫ ଜେଲ୍‌ରେ ତାଙ୍କ ସ୍ବାସ୍ଥ୍ୟର ଭଲରେ ଦେଖାଶୁଣା କରାଯାଉନାହିଁ ବୋଲି ଅଭିଯୋଗ ଆଣିଛନ୍ତି। ତାଙ୍କର ଏଭଳି ସ୍ବାସ୍ଥ୍ୟବସ୍ଥା ପାଇଁ ବର୍ତ୍ତମାନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଶାହବାଜ ଦାୟି କରିଛନ୍ତି।

Share