ଗୁମ୍ମାକୁ ଫେରିବେ ୪୫୦୦ ଶ୍ରମିକ

ଗୁମ୍ମା,୨ା୫: ରାଜ୍ୟ ବାହାରେ ଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବାକୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକ୍ରିୟା ଜାରି ରହିଛି। ଶ୍ରମିକମାନଙ୍କୁ ନାମ ପଞ୍ଜୀକରଣ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଥିରେ ଗଜପତି ଜିଲା ଗୁମ୍ମା ବ୍ଲକ୍‌ ଅଧୀନ ୨୦ ପଞ୍ଚାୟତର ୪୫୦୦ ଶ୍ରମିକ ନାମ ପଞ୍ଜୀକରଣ କରିଥିବା ବିଡିଓ ସୂଚନା ଦେଇଛନ୍ତି। ଏଥିସହ ଶ୍ରମିକମାନେ ଫେରିବା ପରେ ସେମାନଙ୍କୁ ସଙ୍ଗରୋଧରେ ରଖିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି। ବ୍ଲକ୍‌ରେ ପ୍ରାୟ ୨୬ଟି ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ କରାଯାଇଥିବା ମଧ୍ୟ ସେ କହିଛନ୍ତି। ସ୍ଥାନୀୟ ଆଶ୍ରମ ସ୍କୁଲ, କେସିପୁର ବାଳିକା ବିଦ୍ୟାଳୟ ଏବଂ ହଷ୍ଟେଲ, ଗୁମ୍ମା ଆଦର୍ଶ ବିଦ୍ୟାଳୟ, ଗୁମ୍ମା ହାଇସ୍କୁଲ ସମେତ ପ୍ରତ୍ୟେକ ପଞ୍ଚାୟତରେ ୧୦ ରୁ ୧୫ ଶଯ୍ୟା ବିଶିଷ୍ଟ କେନ୍ଦ୍ର ଖୋଲାଯାଇଛି। ସେଗୁଡ଼ିକରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିବା ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ମାଝି ସୂଚନା ଦେଇଛନ୍ତି। ରାଜ୍ୟ ବାହାରୁ ଆସୁଥିବା ଶ୍ରମିକଙ୍କୁ ୧୪ ଦିନ ସଙ୍ଗରୋଧରେ ରଖାଯାଇ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଯିବ। ଏହାପରେ ସେମାନେ ଘରକୁ ଫେରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।