ଗୁଦୁରାପଡ଼ାରେ ଚେସ୍‌ ପ୍ରତିଯୋଗିତା: ବରିଷ୍ଠ ବିିଭାଗରେ ଅଭିଷେକ, କନିଷ୍ଠରେ ଚିରାଗ ବିଜେତା

ଜମନକିରା,୨୯।୭(ଡି.ଏନ୍‌.ଏ.):ସମ୍ବଲପୁର ଜିଲା ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ଗୁଦୁରାପଡ଼ା ଆବାସିକ ବିଦ୍ୟାଳୟ ପରିସରରେ ଏକଦିବସୀୟ ଚେସ୍‌ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଚେସ୍‌ ବା ଇନ୍‌ଡୋର ଖେଳ ପ୍ରତି ଆଗ୍ରହ ସୃଷ୍ଟି ସହ ପ୍ରୋତ୍ସାହନ ଦେବା ସକାଶେ ଭୋଜପୁର ସୁପର ସିନିୟର ଗ୍ରୁପ୍‌ ପକ୍ଷରୁ ଏହା ଆୟୋଜିତ ହୋଇଥିଲା। ଏଥିରେ ବରିଷ୍ଠ ବିିଭାଗରେ କୁଚିଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ଅଭିଷେକ ବେହେରା ବିଜେତା ହୋଇଥିବା ବେଳେ ଗୁଦୁରାପଡ଼ା ଆବାସିକ ମଧ୍ୟ ଇଂରାଜି ବିଦ୍ୟାଳୟର ପ୍ରବୀଣ ସୋରେନ ଉପବିଜେତା ହୋଇଥିଲେ। ସେହିପରି କନିଷ୍ଠ ବର୍ଗରେ ସେଣ୍ଟ ଥୋମାସ ଇଂରାଜି ବିଦ୍ୟାଳୟର ଚିରାଗ ପଟେଲ ବିଜେତା ଓ ବିଭୂତ ପାଣି ଉପବିଜେତା ହୋଇଛନ୍ତି। ଏହି ଉପଲକ୍ଷେ ସଭାପତି ତଥା ଆବାସିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲକ୍ଷପତି ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଡା. ହୃଦାନନ୍ଦ ନାୟକ ମୁଖ୍ୟଅତିଥିଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ଉତ୍ସବରେ ପ୍ରତିଭା ବିକାଶ ଅଭିଯାନର ସୁଗତ ପଟେଲ, ରମାକାନ୍ତ ମହାକୁଳ, ଖବରଦାତା ପ୍ରଭାତ ବେହେରା ସମ୍ମାନନୀୟ ଅତିଥିଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଉଗ୍ରସେନ ରଞ୍ଜିତ, କୈଳାସ ଗୌଡ଼, କ୍ଷୀରୋଦ କିଷାନ, ନରେନ୍ଦ୍ର କିଷାନ, ପ୍ରଣବ ବେହେରା, ପ୍ରବୀଣ ବେହେରା ପ୍ରମୁଖ ଯୋଗଦେଇଥିଲେ।