ଗୁଣିଆ ପାଖକୁ ଯାଇ ରୋଗୀ ହଟହଟା

ସଜନାଗଡ଼, ୨୬।୪(ଡି.ଏନ.ଏ.)-କରୋନା ଏବେ ସାରା ବିଶ୍ୱରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଏହାର ମୁକାବିଲା ଲାଗି ଲୋକେ ସଚେତନ ହେବାକୁ ଲାଗିଲେଣି। ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧିନ ବାଉଁଶବଣିଆ ପଞ୍ଚାୟତର ଜୁଣିଆ ଗ୍ରାମକୁ ପଶି ଆସିଥିବା ଏକ ଅଜଣା ଅଚିହ୍ନା ଆମ୍ବୁଲାନ୍ସ ଓ ରୋଗୀକୁ ଦେଖି ସ୍ଥାନୀୟ ବାସିନ୍ଦା ନୀଳଗିରି ପୋଲିସକୁ ଖବର ଦେଇଥିଲେ। ରୋଗୀଜଣକ ଝଡାଫୁଙ୍କା ହେବାକୁ ଗୁଣିଆ ପାଖକୁ ଯାଉଥିବା ବେଳେ ଏଭଳି ହଟହଟାର ସମ୍ମୁଖୀନ ହୋଇଥିଲେ। ବାସୁଦେବପୁର ଥାନା ପଢୁଆଁ ଗ୍ରାମର ଦୟାନିଧି ମହାଳିକ (୨୦) ମୁଣ୍ଡବିନ୍ଧା ହେଉଥିବା କାରଣରୁ ଦୁଇଦିନ ପୂର୍ବରୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ କିଛି ନ ବାହାରିବାରୁ ଡାକ୍ତର ତାଙ୍କୁ ଡିସଚାର୍ଜ କରି ରବିବାର ପୂର୍ବାହ୍ନ ୧୦ଟା ବେଳେ ଘରକୁ ପଠାଇ ଦେଇଥିଲେ। ରୋଗୀ ଆମ୍ବୁଲାନ୍ସ ଯୋଗେ ଫେରୁଥିଲେ। ତାଙ୍କ ପରିବାର ଲୋକେ ଗୁଣିଗାରେଡିକୁ ବିଶ୍ୱାସ କରୁଥିବାରୁ ଝଡ଼ାଫୁଙ୍କା ପାଇଁ ଉକ୍ତ ଗ୍ରାମକୁ ଯାଇଥିଲେ। ମାତ୍ର ଉକ୍ତ ଗ୍ରାମର ବାସିନ୍ଦା କରୋନା ଭୟରେ ଏକ ଅଜଣା ଆମ୍ବୁଲାନ୍ସ ଓ ରୋଗୀଙ୍କୁ ଦେଖି ସେମାନଙ୍କୁ ଅଟକାଇଥିଲେ ଏବଂ ନୀଳଗିରି ପୋଲିସକୁ ଡକାଇ ହସ୍ତାନ୍ତର କରିଥିଲେ।