‘ଗୁଡ୍‌ ନ୍ୟୁଜ’କୁ ନେଇ ଟ୍ରୋଲ୍‌ ହେଲେ ଅକ୍ଷୟ

ମୁମ୍ବାଇ: ବଳିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଏବେ ତାଙ୍କ ଅପକମିଂ ଫିଲ୍ମ ‘ଗୁଡ୍‌ ନ୍ୟୁଜ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଅକ୍ଷୟଙ୍କ ସହ ନଜର ଆସିବେ କରିନା କପୁର ଖାଁ, କିୟାରା ଆଡଭାନୀ, ଦିଲଜିତ ଦୋସାଂଝ। ଏବେ ଏହାର ୨ଟି ଟ୍ରେଲର୍‌ ରିଲିଜ୍‌ ହୋଇଥିବା ବେଳେ ଦର୍ଶକେ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ହେଲେ ଏବେ ଏହି ଫିଲ୍ମକୁ ନେଇ ଟୁଇଟରରେ ବିବାଦ ମୁଣ୍ଡ ଟେକିଲାଣି। ଏହାର ଦ୍ୱିତୀୟ ଟ୍ରେଲର୍‌ରେ ଅକ୍ଷୟ ଭଗବାନ ରାମଙ୍କୁ ଅପମାନ କରିଛନ୍ତି ବୋଲି ଟୁଇଟରରେ ଅଭିଯୋଗ ଆସିଛି। ଏହି ଟ୍ରେଲରରେ ଅକ୍ଷୟ ଅନ୍ୟଜଣେ କଳାକାରଙ୍କ ସହ କଥା ହେଉଥିବା ବେଳେ ସେ ତାଙ୍କ ପୁଅ ନାଁ କେମିତି ରଖିଲେ ସେ କଥା କହୁଛନ୍ତି। ଏଥିରେ ଏକ ଡବଲ ମିନିଂ ଆସୁଥିବାରୁ ଦର୍ଶକେ ଏହାକୁ ଦେଖି ନାରାଜ ହୋଇଯାଇଛନ୍ତି। ଏହାଠିକ୍‌ ନୁହେଁ ବୋଲି କହିବା ସହ ସୋସିଆଲ ମିଡିଆ ୟୁଜର ଅକ୍ଷୟଙ୍କୁ ବେଶ୍‌ କିଛି ଖଟାମିଠା କଥା ଶୁଣାଇଛନ୍ତି। ଏଥିରେ ସେମାନେ ଅକ୍ଷୟଙ୍କ ନାଗରିକତା କଥା ମଧ୍ୟ ଉଠାଇଛନ୍ତି।

Share