ଗିର୍ଲିଗୁଡ଼ା-ମାଝିଗୁଡ଼ା ସେତୁ : ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରମନ୍ତ୍ରୀ ପଦ୍ମିନୀ ଦିଆନ

ଡାବୁଗାଁ, ୧୬।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଘୋଡ଼ାଖୁଣ୍ଟା ପଞ୍ଚାୟତ ଅଧୀନ ଗିର୍ଲିଗୁଡ଼ା-ମାଝିଗୁଡ଼ା ଗ୍ରାମ ମଧ୍ୟରେ ଥିବା ଏକ ନାଳ ଉପରେ ପୋଲ ନିର୍ମାଣ ପାଇଁ ରବିବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏ ନେଇ ଡାବୁଗାଁ ବ୍ଲକ ଅଧୀନ ଘୋଡାଖୁଣ୍ଟା ପଞ୍ଚାୟତ ସଦର ମହକୁମାସ୍ଥିତ ଖେଳପଡିଆଠାରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପଦ୍ମିନୀ ଦିଆନ ହେଲିକପ୍ଟରରେ ଆସି ଓହ୍ଲାଇଥିଲେ । ସେଠାରୁ ପ୍ରଥମେ ସେ ଗିର୍ଲିଗୁଡା ଯାଇ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପରେ ଖେଳପଡିଆଠାରେ ସାଧାରଣ ସଭାରେ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ । ଏଥିରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି, ଜିଲା ପରିଷଦ ଅଧ୍ୟକ୍ଷ ଭଗବତୀ ଭତ୍ରା, ଉପାଧ୍ୟକ୍ଷା ନିବେଦିତା ମହାନ୍ତିଙ୍କ ସମେତ ହଜାର ହଜାର ଜନସମାଗମ ହୋଇଥିଲା।