ଗିନିଜ୍‌ ବୁକ୍‌ ରେକର୍ଡରେ ଦାନ୍ତ

ବର୍ଲିନ: ଥରେ ଭାବି ଦେଖନ୍ତୁ ତ, ଜଣେ ସୁସ୍ଥସବଳ ମିଣିଷର ଦାନ୍ତର ଲମ୍ବ କେତେ ହୋଇପାରେ? ଚିକିତ୍ସା ବିଜ୍ଞାନ ଅନୁଯାୟୀ ଦାନ୍ତର ହାରାହାରି ଲମ୍ବା ମାଢ଼ିଠାରୁ ୮.୭୦ ମିଲିମିଟର ଏବଂ ମୂଳଠାରୁ ୧୫.୫୧ ମିମି। ଯଦି କୁହାଯାଏ ଜଣେ ବ୍ୟକ୍ତିଙ୍କ ଦାନ୍ତ ୧.୪୬ ଇଞ୍ଚ (ହାରାହାରି ୩.୭ ସେମି) ବିଶିଷ୍ଟ, ହୁଏତ ଏହାକୁ ଅନେକ ବିଶ୍ୱାସ କରି ନ ପାରନ୍ତି। ହେଲେ ଏପରି ଏକ ବଡ଼ ଦାନ୍ତ ଏବେ ସ୍ଥାନିତ ହୋଇଛି ଗିନିଜ ବୁକ୍‌ ଅଫ୍‌ ଓ୍ବାଲ୍ଡ ରେକଡର୍‌ସରେ। ପୂର୍ବରୁ ଏହି ରେକର୍ଡ ଭାରତୀୟଙ୍କ ନାମରେ ଥିବାବେଳେ ଏବେ ଏହି ତାଲିକାରେ ଶୀର୍ଷସ୍ଥାନ ହାତେଇଛନ୍ତି କ୍ରୋଏସିଆର ମୂଳବାସିନ୍ଦା ମିଜୋ ଭୋଡୋପିଜା। ମିଜୋ ହେଉଛନ୍ତି କ୍ରୋଏସିଆ ନିବାସୀ। ସେ କିଛିବର୍ଷ ହେଲା ଜର୍ମାନୀରେ ରହି ଆସୁଛନ୍ତି। ଗତବର୍ଷ ସେପ୍ଟେମ୍ବରରେ ତାଙ୍କ ଦାନ୍ତରେ ଗଭୀର ଯନ୍ତ୍ରଣା ହେବାରୁ ସେ ଡାକ୍ତର ମେକ୍ସ ଲୁକାସଙ୍କ ସହାୟତା ଲୋଡ଼ିଥିଲେ। ଡାକ୍ତରଙ୍କ କହିବା କଥା, ଡାକ୍ତରଖାନା ଆସିବା ବେଳକୁ ମିଜୋଙ୍କ ଦାନ୍ତମୂଳ ଏବଂ ପାଟିରେ ଗଭୀର ସଂକ୍ରମଣ ହୋଇଥିଲା। ଏପରି ସ୍ଥିତିରେ ଦାନ୍ତକୁ ବାହାର କରିବା ଛଡ଼ା ଅନ୍ୟ ଉପାୟ ନ ଥିଲା। ହେଲେ ଏତେ ବଡ଼ ଦାନ୍ତକୁ ମୂଳରୁ ଉପାଡ଼ିବା ଚ୍ୟାଲେଞ୍ଜ ପାଲଟିଥିଲା। ତଥାପି ଏକ ଡାକ୍ତରୀ ଦଳ ଏହି ଚ୍ୟାଲେଞ୍ଜଙ୍କୁ ଗ୍ରହଣ କରି ସର୍ଜରି କରିଥିଲେ। ହେଲେ ଯେତେବେଳେ ମିଜୋଙ୍କ ଦାନ୍ତ ବାହାରିଲା ସମେତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଡାକ୍ତରଙ୍କ ଚିକିତ୍ସା ଜୀବନ କାଳରେ ସେମାନେ ଏପରି ବଡ଼ ମଣିଷ ଦାନ୍ତ କେବେ ଦେଖି ନ ଥିଲେ। ଏହାକୁ ଗିନିଜ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନିତ କରିବାକୁ ମେକ୍ସ ଆବେଦନ କରିଥିଲେ। ଗିନିଜ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡ କର୍ତ୍ତୃପକ୍ଷ କହିଛନ୍ତି, ଏହି ରେକର୍ଡ ପୂର୍ବରୁ ଗୁଜରାଟର ଉର୍ବିଲ ପଟେଲଙ୍କ ନାମରେ ଥିଲା। ୨୦୧୭ରେ ତାଙ୍କ ଦାନ୍ତ ବାହାର କରାଯାଇଥିଲା, ଯାହାର ଲମ୍ବା ଥିଲା ୧.୪୪ ଇଞ୍ଚ (୩.୬ ସେମି)। ମିଜୋଙ୍କ ଦାନ୍ତକୁ ରେକର୍ଡଭୁକ୍ତ କରିବା ପ୍ରକ୍ରିୟା ଶେଷ ହେଉ ହେଉ ବର୍ଷେ ଲାଗିଗଲା।

Share