ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇବା ଲକ୍ଷ୍ୟ ୧୦୬ ଦେଶର ୪୪୧୪ ଖବରକାଗଜ ପ୍ରଦର୍ଶିତ

ଭୁବନେଶ୍ୱର,୧ା୧୨ (ବ୍ୟୁରୋ) ଖବରକାଗଜ ସଂଗ୍ରହ କରିବା ତାଙ୍କର ଏକ ସଉକ। ଏପରିକି ଭିନ୍ନ ଭିନ୍ନ ଦେଶର ସବୁ ଖବରକାଗଜ ସଂଗ୍ରହ ତାଙ୍କର ଏବେ ନିଶା ପାଲଟିଯାଇଛି। ସେ ହେଉଛନ୍ତି ୪ଥର ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଥିବା ପେରମ୍ୟାନ ଶଶାଙ୍କ ଶେଖର ଦାସ। ଏବେ ସେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ନିଜ ନାମ ସ୍ଥାନିତ କରିବା ପାଇଁ ଚେଷ୍ଟା କରିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଇଡ୍‌କଲ ଅଡିଟୋରିୟମ୍‌ ପ୍ରୋକ୍ଷାଳୟରେ ଏକ ଖବରକାଗଜ ପ୍ରଦର୍ଶନୀ ଅନୁଷ୍ଠିତ କରି ସେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ନିଜ ନାମ ସାମିଲ କରିବାକୁ ଦାବି କରିଛନ୍ତି। ସେ ୧୦୬ ଦେଶରୁ ତଥା ୮୮ଟି ଭାଷାର ୪ହଜାର ୪୧୪ଟି ଖବରକାଗଜ ପ୍ରଦର୍ଶିତ କରି ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡ କର୍ତ୍ତୃପକ୍ଷଙ୍କୁ ଭିଡିଓ ପଠାଇଛନ୍ତି। ଏବେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡ କର୍ତ୍ତୃପକ୍ଷ ସମସ୍ତ ଦିଗକୁ ଯାଞ୍ଚ କରିବା ପରେ ଏହି ରେକର୍ଡ ତାଙ୍କ ନାମରେ ହେଉଛି କି ନାହିଁ ଜଣାଇବେ ବୋଲି ଶଶାଙ୍କ କହିଛନ୍ତି। କାର୍ଯ୍ୟକ୍ରମକୁ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କିନ୍ନର ମହାସଂଘର ସଭାପତି ମୀରା ପରିଡ଼ା, ସାମାଜିକ କର୍ମୀ ରୁଦ୍ର ସାମନ୍ତରାୟ, ଓୟୁଏଟି ମୁଖ୍ୟ ବିତ୍ତ ଅଧିକାରୀ ସଂଗ୍ରାମ ସାମନ୍ତରାୟ ଓ ସଂଗ୍ରାମ ପାଇକ୍‌ରାୟ ପ୍ରମୁଖ ଉପସ୍ଥିତ ଥିଲେ।