Categories: ଜାତୀୟ

ଗିଟାରିଷ୍ଟ ସୋନମ୍‌ ଶେର୍ପାଙ୍କ ପରଲୋକ

କୋଲକାତା,୧୫ା୨: ଇଣ୍ଡିଆନ ରକ୍‌ ବ୍ୟାଣ୍ଡ୍‌ ‘ପରିକ୍ରମା’ର ମୁଖ୍ୟ ଗିଟାରିଷ୍ଟ ସୋନମ୍‌ ଶେର୍ପାଙ୍କର ଶୁକ୍ରବାର ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୪୮ ବର୍ଷ ହୋଇଥିଲା। ତାଙ୍କର ଅକାଳ ବିୟୋଗ ସୁବୀର ମଲିକଙ୍କ ଦ୍ୱାରା ପ୍ରତିଷ୍ଠିତ ରକ୍‌ ବ୍ୟାଣ୍ଡ୍‌ ପାଇଁ ଅପୂରଣୀୟ କ୍ଷତି ପହଞ୍ଚାଇଛି। ମିଳିଥିବା ଖବର ଅନୁଯାୟୀ ଶେର୍ପା ଆଗାମୀ ଚଳଚ୍ଚିତ୍ର ପାଇଁ ମ୍ୟୁଜିକ ରେକର୍ଡ କରିବାକୁ ପଶ୍ଚିମବଙ୍ଗର କୁରସେଙ୍ଗ ସହରକୁ ଯାଇଥିବାବେଳେ ତାଙ୍କୁ ହୃଦ୍‌ଘାତ ହୋଇଥିଲା। ବଲିଉଡ୍‌ ପାଇଁ ସେ ଅନେକ ମ୍ୟୁଜିକ୍‌ କମ୍ପୋଜ୍‌ କରିଛନ୍ତି।

ସେ ଦିଲ୍ଲୀରେ ଏକ ସଙ୍ଗୀତ ବିଦ୍ୟାଳୟ ଚଳାଉଥିଲେ। ତାଙ୍କ ପରଲୋକରେ ସଙ୍ଗୀତ ଓ ବଲିଉଡ୍‌ ଚିତ୍ରଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ଶେର୍ପାଙ୍କ ଅକାଳ ବିୟୋଗରେ ମର୍ମାହତ ବୋଲି ଫାର୍‌ହାନ ଅଖତର ତାଙ୍କ ଶୋକବାର୍ତ୍ତାରେ ଲେଖିଛନ୍ତି। ସେହିପରି ସଙ୍ଗୀତକାର ଏହସାନ୍‌ ଶୋକବାର୍ତ୍ତାରେ କହିଛନ୍ତି, ରକ୍‌ ବ୍ୟାଣ୍ଡ୍‌ ଗିଟାରିଷ୍ଟ ଶେର୍ପାଙ୍କ କାର୍ଯ୍ୟ ସ୍ମରଣୀୟ ହୋଇ ରହିବ। ୧୯୭୧ ଅକ୍ଟୋବର ୮ରେ ପଶ୍ଚିମବଙ୍ଗର କାଲିମ୍‌ପଙ୍ଗ୍‌ରେ ଜନ୍ମିତ ଶେର୍ପା ୯ ବର୍ଷ ବୟସରୁ ଗିଟାର ବଜାଇବା ଆରମ୍ଭ କରିଥିଲେ।

Share