Categories: ଖେଳ

ଗାଳି ହେବାରୁ ନିଷ୍ପତ୍ତି ବଦଳାଇଲେ ଅମ୍ପାୟର

ମୋହାଲି,୩।୧-ସ୍ଥାନୀୟ ଆଇ.ଏସ୍‌. ବିନ୍ଦ୍ରା ଷ୍ଟାଡିୟମଠାରେ ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ଏକ ବିବାଦୀୟ ଘଟଣା ଦେଖିବାକୁ ମିଳିଛି। ପଞ୍ଜାବର ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍‌ ଆଉଟ୍‌ ହେବା ପରେ କ୍ରିଜ୍‌ ଛାଡ଼ିବାକୁ ମନା କରିଥିଲେ। ଅମ୍ପାୟରଙ୍କୁ ଗାଳି ମଧ୍ୟ ଦେଇଥିଲେ। ଏହାପରେ ଆଉଟ୍‌ ନିଷ୍ପତ୍ତିି ଫେରାଇ ନେଇଥିଲେ ପଦାର୍ପଣ କରୁଥିବା ଅମ୍ପାୟର ପାଶ୍ଚିମ ପାଠକ। ଏ ଘଟଣା ସମ୍ପର୍କରେ ବୋଲିଂ କରୁଥିବା ଦିଲ୍ଲୀ ଦଳର ଅଧିନାୟକ ନୀତୀଶ ରାଣା କହିଛନ୍ତି, ଆଉଟ୍‌ ହେବା ପରେ ଶୁବମନ ଅମ୍ପାୟର ପାଶ୍ଚିମ ପାଠକଙ୍କୁ ନିକଟକୁ ଯାଇ ଗାଳିକରିଥିଲେ। ଅମ୍ପାୟର ନିଷ୍ପତ୍ତି ବଦଳାଇବା ପରେ ଦିଲ୍ଲୀ ଦଳର ଖେଳାଳିମାନେ ଫିଲ୍ଡ ଛାଡ଼ି ପଳାଇଥିଲେ। ଫଳରେ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଥିଲା। ଖେଳ ଆରମ୍ଭ କରିବା ପାଇଁ ମ୍ୟାଚ୍‌ ରେଫରିଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଶେଷରେ ୨୦ ବର୍ଷୀୟ ଗିଲ୍‌ ସିମରଜିତ ସିଂଙ୍କ ବଲରେ ଆଉଟ୍‌ ହୋଇଥିଲେ। ଆଉଟ୍‌ ହେବା ପୂର୍ବରୁ ୪୧ ବଲରେ ୨୩ ରନ୍‌ କରିଥିଲେ।

Share