ଗାନ୍ଧୀ ମାର୍ଗରେ ହୋଇ ନ ପାରେ ରାଜ୍ୟସ୍ତରୀୟ ପରେଡ୍‌: ୩ ସ୍ଥାନ ବୁଲି ଦେଖିଲେ ଡିଜିପି, ସିପି

ଭୁବନେଶ୍ୱର, ୪ା୮(ବ୍ୟୁରୋ): ରାଜ୍ୟରେ ୭୨ତମ ସ୍ବାଧୀନତା ଦିବସ ପାଳନ ପାଇଁ ଚାଲିଛି ପ୍ରସ୍ତୁତି। ସବୁଥର ପରି ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ। କିନ୍ତୁ କେତେକ କାରଣ ପାଇଁ ଚଳିତବର୍ଷ ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ପରେଡ କରା ନ ଯିବାକୁ ସ୍ଥିର ହୋଇଛି। ତେଣୁ ରାଜ୍ୟସ୍ତରୀୟ ପରେଡ ଅନ୍ୟ ସ୍ଥାନରେ କରାଯିବାକୁ ନେଇ ପୋଲିସ ବିଭାଗ ଯୋଜନା କରୁଥିବା ଜଣାପଡିଛି। ଶନିବାର ପୋଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା, ପୋଲିସ କମିଶନର ସତ୍ୟଜିତ ମହାନ୍ତି, ଡିସିପି ଅନୁପ କୁମାର ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଭୁବନେଶ୍ୱରର ୩ ସ୍ଥାନ ପରିଦର୍ଶନ କରିଛନ୍ତି। ଡିଜିପି ପ୍ରଦର୍ଶନୀ ପଡିଆ, ଜନତା ମଇଦାନ ଓ କଳିଙ୍ଗ ଷ୍ଟାଡିୟମ ବୁଲି ଦେଖିଛନ୍ତି। ଏପର୍ଯ୍ୟନ୍ତ କେଉଁ ସ୍ଥାନରେ ପରେଡ ହେବ ସେନେଇ ଚୟନ ପ୍ରକ୍ରିୟା ଶେଷ ହୋଇନାହିଁ। ସ୍ଥାନ ପରିବର୍ତ୍ତନ ନେଇ ସୋମବାର ଗୃହ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଉକ୍ତ ବୈଠକରେ ଡିଜିପି ବୁଲି ଦେଖିଥିବା ୩ ସ୍ଥାନ ବିଷୟରେ ଆଲୋଚନା କରିବେ। ଶେଷରେ ଏଥିମଧ୍ୟରୁ କୌଣସି ଗୋଟିଏ ସ୍ଥାନ ସ୍ଥିର କରାଯିବ ଓ ଏହାପରେ ସେଠାରେ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ ହେବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଗୃହ ବିଭାଗ ପ୍ରଦର୍ଶନୀ ପଡିଆକୁ ରାଜ୍ୟସ୍ତରୀୟ ପରେଡ ପାଇଁ ସ୍ଥିର କରିବ ବୋଲି ଅନୁମାନ କରାଯାଉଛି। କାରଣ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ସହ ପରେଡ ପାଇଁ ଏହା ଠିକ୍‌ ହେବ ବୋଲି କୁହାଯାଉଛି।
ସବୁଥର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡ କରାଯାଇଥାଏ। କିନ୍ତୁ ଏଥର ସୁରକ୍ଷା ଦୃଷ୍ଟିରୁ ସ୍ଥାନ ପରିବର୍ତ୍ତନ ପାଇଁ ରାଜ୍ୟ ପୋଲିସ ଗୁରୁତ୍ୱ ଦେଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଏଠାରେ ହେଉଥିବା ପରେଡ ଅଭ୍ୟାସକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଉପୁଜିଛି। ଯଦି ସ୍ଥାନ ପରିବର୍ତ୍ତନ କରାଯାଏ ତେବେ ରାଜ୍ୟସ୍ତରୀୟ ପରେଡ ପାଇଁ ଅଭ୍ୟାସ କେଉଁଠି ହେବ। କେବଳ ଅଭ୍ୟାସ ଗାନ୍ଧୀମାର୍ଗରେ କରାଯିବା ସହ ସ୍ବାଧୀନତା ଦିବସ ଅନ୍ୟ ସ୍ଥାନରେ ହେବ କି ନାହିଁ ସେନେଇ ମଧ୍ୟ ପୋଲିସ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ।