ଗାନ୍ଧୀବାଦର ମୂଲ୍ୟ ସମସ୍ୟାର ସମାଧାନ: ରାଧା ଭଟ୍ଟ

ବାଲେଶ୍ୱର ଅଫିସ, ୨।୧୧-ସାମ୍ପ୍ରତିକ ସାମାଜିକ ଏବଂ ଅର୍ଥନୈତିକ ସମସ୍ୟାର ସମାଧାନ ଗାନ୍ଧୀବାଦ ମଧ୍ୟରେ ନିହିତ ରହିଛି। ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଆୟୋଜିତ ଏକ ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ନୋବେଲ୍‌ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଥିବା ରାଧା ଭଟ୍ଟ ମତବ୍ୟକ୍ତ କରିଛନ୍ତି। ମହାମତ୍ା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଉପଲକ୍ଷେ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ଶାଖା ପକ୍ଷରୁ ଆୟୋଜିତ ଏହି ସଭାରେ ସେ ଗାନ୍ଧୀବାଦର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ଏପରିକି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବାରେ ଗାନ୍ଧୀଜୀଙ୍କ ନୀତି ଓ ଆଦର୍ଶ ଅନୁକରଣୀୟ ବୋଲି କହିଥିଲେ। ପାଶ୍ଚାତ୍ୟ ସଭ୍ୟତା ଯଥା ଡେନ୍‌ମାର୍କ ଏବଂ ମେକ୍ସିକୋ ସହ ଭାରତର ଏକ ତୁଳନାମତ୍କ ଅଭିଭାଷଣ ଦେଇ ବିଶ୍ୱଶାନ୍ତି କ୍ଷେତ୍ରରେ ଗାନ୍ଧିଜୀଙ୍କ ଭୂମିକା ସମ୍ପର୍କରେ ଚର୍ଚ୍ଚା କରିବା ସହ ଗାନ୍ଧୀବାଦର ମୂଲ୍ୟ ଆମ ସମସ୍ୟାର ସମାଧାନ ବୋଲି ଉଲ୍ଲେଖ କରିଥିଲେ।
ଫକୀରମୋହନ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଡ. ସିପ୍ରା ସାଗରିକା ସଭା ପରିଚାଳନା କରିଥିଲେ। କୁଳପତି ପ୍ରଫେସର ମଧୁମିତା ଦାସ ଏଥିରେ ବକ୍ତବ୍ୟ ରଖି ଯୁବସମାଜ ଗାନ୍ଧୀବାଦର ପ୍ରାଧାନ୍ୟ ସମ୍ପର୍କରେ ସଚେତନ ରହିବା ଉଚିତ୍‌ ବୋଲି କହିଥିଲେ। ଗାନ୍ଧିଜୀଙ୍କ ନୀତି ଅନୁଯାୟୀ ଶ୍ରେଣୀ ସମସ୍ୟାର ସମାଧାନ ସମ୍ଭବ ବୋଲି ଦର୍ଶାଇଥିଲେ। ସର୍ବୋଦୟ ମଣ୍ଡଳର ପୂର୍ବତନ ସଂଯୋଜକ ଆଦିତ୍ୟ ପଟ୍ଟନାୟକ ଅନ୍ୟତମ ବକ୍ତା ଭାବେ ଯୋଗଦେଇ ଦକ୍ଷିଣଆଫ୍ରିକାରେ ଗାନ୍ଧିଜୀଙ୍କ ଆଦର୍ଶ ଓ କାର୍ଯ୍ୟ କିଭଳି ପ୍ରତିଫଳିତ ହୋଇଥିଲା ତାହା ବର୍ଣ୍ଣନା କରିଥିଲେ। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)ର ସମ୍ପାଦିକା ମମତା ମହାପାତ୍ର, ଜିଲା ସଭାପତି ତଥା ଆଇନ୍‌ଜୀବୀ ପ୍ରଭାକର ସାହୁ, ସାଧାରଣ ସମ୍ପାଦକ ରମାକାନ୍ତ ମଣ୍ଡଳ, ସର୍ବୋଦୟ ମଣ୍ଡଳ କର୍ମୀ ଇନ୍ଦୁମତି ସାହୁ ଓ ମାଳତୀ ପାତ୍ର ପ୍ରମୁଖ ସଭାରେ ଯୋଗଦେଇଥିଲେ। ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ, ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ଶେଷରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ. ରାମକୃଷ୍ଣ ପ୍ର୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।