ଗାନ୍ଧୀଙ୍କ ଈଶ୍ୱର

ପ୍ରଖ୍ୟାତ ବୈଜ୍ଞାନିକ ନିଉଟନ ବିଶ୍ୱାସ କରୁଥିଲେ ଯେ ଏ ସମଗ୍ର ବିଶ୍ୱର ସୃଷ୍ଟି ଏକ ସଚେତନ ମହାଶକ୍ତି ଦ୍ୱାରା ସମ୍ଭବ ହୋଇଛି। ମାତ୍ର ତାଙ୍କର ଜଣେ ବନ୍ଧୁ ନିଉଟନଙ୍କ ସହ ଏକମତ ନ ଥିଲେ। ସେ କହୁଥିଲେ ଏହି ବିଶ୍ୱକୁ କୌଣସି ସଚେତନ ମହାଶକ୍ତି ସୃଷ୍ଟି କରିନାହିଁ। ଏହା ଆପେ ଆପେ ସୃଷ୍ଟି ହୋଇଛି। ଏହି ନାସ୍ତିକ ବନ୍ଧୁ ଦିନେ ନିଉଟନଙ୍କ ଘରକୁ ଆସିଥାନ୍ତି। ନିଉଟନଙ୍କ ଟେବୁଲ ଉପରେ ଥାଏ ଆମ ସୌରଜଗତର ଏକ ଧାତୁ ନିର୍ମିତ ପ୍ରତିରୂପ। ସୂର୍ଯ୍ୟଙ୍କ ଚତୁର୍ଦ୍ଦିଗରେ ଘୂରୁଥିବା ଗ୍ରହ ଉପଗ୍ରହମାନଙ୍କ ସ୍ଥିତି ସେହି ପ୍ରତି ରୂପରେ ସୁନ୍ଦର ଭାବରେ ପ୍ରକାଶ ପାଇଥାଏ। ନିଉଟନଙ୍କ ନାସ୍ତିକ ବନ୍ଧୁ ଏହା ଦେଖି ସେହି ପ୍ରତିରୂପ ପ୍ରତି ଆକର୍ଷିତ ହେଲେ ଓ କହିଲେ ବନ୍ଧୁ! କିଏ ଏହାର ଶିଳ୍ପୀ। ମୋ ପାଇଁ ଏହିଭଳି ଏକ ପ୍ରତିରୂପ ଆଣିଦିଅ। ଏହାର ଶିଳ୍ପୀର ବୁଦ୍ଧି, ଶକ୍ତି ଓ ଜ୍ଞାନ ଅତ୍ୟନ୍ତ ଚମତ୍କାର। ନିଉଟନ ଉତ୍ତର ଦେଲେ ଏହାକୁ କେହି ତିଆରି କରିନାହାନ୍ତି। ଆଶ୍ଚର୍ଯ୍ୟ ହେଲେ ନାସ୍ତିକ ବନ୍ଧୁ। ସେ ନିଉଟନଙ୍କୁ ଏପରି କହି ଥଟ୍ଟା ନ କରିବାକୁ କହନ୍ତେ ନିଉଟନ କହିଲେ, ତୁମ ମତରେ ଯଦି ସମଗ୍ର ବିଶ୍ୱ କୌଣସି ସଚେତନ ମହାଶକ୍ତି ବିନା ଆପେ ଆପେ ତିଆରି ହୋଇଗଲା ତା’ ହେଲେ ଏହି ସୌରଜଗତର ପ୍ରତିରୂପ ନିର୍ମାଣ ପାଇଁ ଜଣେ ସଚେତନ ଶିଳ୍ପୀ ଥିବ ବୋଲି କାହିଁକି ଧାରଣା ରଖୁଛ। ନାସ୍ତିକ ବନ୍ଧୁ ବୋଧହୁଏ ବୁଝିପାରିଲେ ଯେ ପ୍ରତ୍ୟେକ ସୃଷ୍ଟି ପଛରେ ଜଣେ ସ୍ରଷ୍ଟା ଅଛନ୍ତି। ମହାତ୍ମା ଗାନ୍ଧୀ ମଧ୍ୟ ଏହିଭଳି ଏକ ମହାଶକ୍ତି ଉପରେ ବିଶ୍ୱାସ କରୁଥିଲେ। ସେ ଗୋଲ ଟେବୁଲ ବୈଠକରେ ଯୋଗ ଦେବା ପାଇଁ ଲଣ୍ଡନ ଯାଇଥିବା ବେଳେ ମିସେସ ମୁରିଏଲ ଲେଷ୍ଟରଙ୍କ ନିମନ୍ତ୍ରଣ ରକ୍ଷା କରି ତାଙ୍କ ଘରେ ଅତିଥି ହୋଇଥିଲେ। ସେତେବେଳେ ସେ କହିଥିଲେ ମୁଁ ସୂକ୍ଷ୍ମ ଭାବରେ ଅନୁଭବ କରୁଛି ମୋ ଚାରିପଟେ ଥିବା ସବୁ କିଛି ଜିନିଷ ପରିବର୍ତ୍ତନଶୀଳ ଓ ନଶ୍ୱର। କିନ୍ତୁ ଏସବୁ ପରିବର୍ତ୍ତନର ଅନ୍ତରାଳରେ ଏକ ଜୀବନ୍ତ ଶକ୍ତି ବିଦ୍ୟମାନ ଯାହା ଚିରନ୍ତନ ଯାହା ସମସ୍ତଙ୍କୁ ଏକତ୍ର କରି ଧରି ରଖିଛି; ଯାହା ସୃଷ୍ଟି କରେ, ଧ୍ୱଂସକରେ ଓ ପୁନଃ ସୃଷ୍ଟି କରେ। ସେ ଏକ ରହସ୍ୟମୟ ଶକ୍ତି ବିଶ୍ୱରେ ଥିବା ସମସ୍ତ ବସ୍ତୁ ଓ ପ୍ରାଣୀମାନଙ୍କୁ ପରିଚାଳିତ କରୁଛି ବୋଲି ବିଶ୍ୱାସ କରୁଥିଲେ। ତାଙ୍କ ଭାଷାରେ ଏହା ଏକ ଅନ୍ଧ ନିୟମ ନୁହେଁ, କାରଣ କୌଣସି ଅନ୍ଧ ନିୟମ ସଜୀବ ପ୍ରାଣୀଙ୍କ ବ୍ୟବହାରକୁ ନିୟନ୍ତ୍ରଣ କରିପାରିବ ନାହିଁ। ସମସ୍ତ ଜୀବନକୁ ନିୟନ୍ତ୍ରଣ କରୁଥିବା ନିୟମ ହିଁ ଭଗବାନ। ନିୟମ ଓ ନିୟମ କର୍ତ୍ତା ଏକ ଓ ଅଭିନ୍ନ।
ପରବର୍ତ୍ତୀ ସମୟରେ ଗାନ୍ଧୀ ଉପଲବ୍ଧି କଲେ ସତ୍ୟ ହିଁ ଭଗବାନ। ସତ୍‌ ଶବ୍ଦରୁ ସତ୍ୟର ଉତ୍ପତ୍ତି। ସତ୍‌ ଅର୍ଥ ଯାହା ଅଛି। ଏହି କାରଣରୁ ସେ ସତ୍ୟ ହିଁ ଈଶ୍ୱର ସଂଜ୍ଞାକୁ ବାଛିଥିଲେ। ସେ ଅନୁଭବ କରିଥିଲେ ପ୍ରକୃତିର ସକଳ ବସ୍ତୁ ଭଗବାନ ଓ ତାଙ୍କ ଭିତରେ ଅଭେଦ ସମ୍ପର୍କ ବିଦ୍ୟମାନ। ତେଣୁ ସେ ନିଜକୁ ସମଗ୍ରର ଏକ ଅଂଶ ଭାବରେ ବିବେଚନା କରୁଥିଲେ। ଅନ୍ୟମାନଙ୍କଠାରୁ ସେ ନିଜକୁ ଅଲଗା ବୋଲି ମନେ କରୁ ନ ଥିଲେ। ତାଙ୍କ ମତରେ ମଣିଷର ସେବା ମାଧ୍ୟମରେ ଭଗବାନଙ୍କୁ ପ୍ରତ୍ୟକ୍ଷ କରିବାର ପ୍ରୟାସ ହିଁ ଭଗବାନଙ୍କୁ ଉପଲବ୍ଧି କରିବାର ଏକମାତ୍ର ପନ୍ଥା। ଏଣୁ ହରିଜନ ପତ୍ରିକାରେ (୨୪ା୦୮ା୧୯୪୭) ସେ ଲେଖିଥିଲେ ‘ମଣିଷମାନଙ୍କ ବାହାରେ ମୁଁ ତାଙ୍କୁ ଅନ୍ୟତ୍ର ଦେଖି ପାରିବି ନାହିଁ।’ ଗାନ୍ଧିଜୀଙ୍କ ଏହି ବିଶ୍ୱାସରେ ଅଦ୍ୱୈତ ବେଦାନ୍ତର ବ୍ୟାବହାରିକ ଦିଗ ପ୍ରତିଫଳିତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଧର୍ମ କହିଲେ ଗାନ୍ଧୀ ମନ୍ଦିର, ମସଜିଦ, ଗୀର୍ଜାକୁ ଯିବା କିମ୍ବା ନିୟମିତ ପ୍ରାର୍ଥନା କରିବା ବୁଝୁ ନ ଥିଲେ। ୧୯୨୦ ମାର୍ଚ୍ଚ ୧୨ ତାରିଖରେ ୟଙ୍ଗ ଇଣ୍ଡିଆରେ ସେ ଲେଖିଥିଲେ ”ଧର୍ମ କହିଲେ ମୁଁ ହିନ୍ଦୁ ଧର୍ମକୁ ବୁଝେ ନାହିଁ ଯଦିଓ ସବୁଧର୍ମ ଅପେକ୍ଷା ଏହାକୁ ମୁଁ ବେଶି ଭଲ ପାଏ। ମୋ ଧର୍ମ ବିଶ୍ୱାସ ହିନ୍ଦୁ ଧର୍ମର ଊର୍ଦ୍ଧ୍ୱରେ। ଏହା ମଣିଷର ପ୍ରକୃତିକୁ ପରିବର୍ତ୍ତନ କରେ। ମଣିଷକୁ ତା’ର ଅନ୍ତଃସ୍ଥିତି ସତ୍ୟ ସହିତ ଦୃଢ ଭାବରେ ବାନ୍ଧି ରଖେ ଓ ତାକୁ ସର୍ବଦା ଶୁଦ୍ଧ କରେ।“ ପ୍ରକୃତରେ ସତ୍ୟର ସଂଜ୍ଞା ଖୋଜିବା ଏକ କଷ୍ଟକର ବ୍ୟାପାର। ଗାନ୍ଧିଜୀ କହୁଥିଲେ, ମୋ ଭିତରର ଅନ୍ତଃସ୍ବର ଯେଉଁ ପଥ ପ୍ରଦର୍ଶନ କରିବ ତାହା ହିଁ ମୋ ପାଇଁ ସତ୍ୟ। ବିଭିନ୍ନ ଲୋକଙ୍କ ଅନ୍ତଃସ୍ବର ବିଭିନ୍ନ ହେବାର ସମ୍ଭାବନା ଥିବାରୁ ଯାହା ଜଣକ ପାଇଁ ସତ୍ୟ, ତାହା ଅନ୍ୟ ଜଣକ ପାଇଁ ଅସତ୍ୟ ହୋଇପାରେ। ଏଣୁ ସତ୍ୟକୁ ଈଶ୍ୱର ରୂପେ ଉପଲବ୍ଧି କରିବାକୁ ହେଲେ କେତୋଟି ସର୍ତ୍ତ ପୂରଣ କରିବାକୁ ପଡିବ। ସତ୍ୟ କଥନ, ବ୍ରହ୍ମଚର୍ଯ୍ୟ, ଅହିଂସା, ଅସଂଗ୍ରହ ଆଦି ବ୍ରତ ପାଳନ କରୁ ନ ଥିଲେ ଅନ୍ତଃସ୍ବରକୁ ଠିକ ଭାବରେ ଶୁଣି ହେବ ନାହିଁ। ଗାନ୍ଧୀ କହୁଥିଲେ ଲକ୍ଷ୍ୟ ଯେତେ ମହତ୍‌ ହେଲେ ମଧ୍ୟ ସାଧନ ଶୁଦ୍ଧ ଓ ମହତ୍‌ ନ ହେଲେ ପରିଣାମ ମଙ୍ଗଳଦାୟକ ହୋଇ ନ ଥାଏ। ଗାନ୍ଧିଜୀ ଯେଉଁ ଅନ୍ତଃସ୍ବର କଥା କହିଛନ୍ତି ତାହା ଆତ୍ମାର ଅନ୍ୟ ନାମ ବୋଲି କୁହାଯାଇପାରେ। ଏହି ପ୍ରସଙ୍ଗରେ ମନେପଡେ ଜନକ ଯାଜ୍ଞବଳ୍‌କ୍ୟ ଖବର।
ଥରେ ଜନକ ଯାଜ୍ଞବଳ୍‌କ୍ୟଙ୍କୁ ପ୍ରଶ୍ନ କଲେ ‘ମଣିଷ ପାଇଁ ଆଲୋକ କ’ଣ।’ ଯାଜ୍ଞବଳ୍‌କ୍ୟ କହିଲେ ‘ସୂର୍ଯ୍ୟ ହିଁ ଆଲୋକ, କାରଣ ତାରି ଆଲୋକରେ ମଣିଷ ଦେଖେ ଓ କର୍ମ କରେ।’ ଜନକ କହିଲେ ‘ଋଷି! ସୂର୍ଯ୍ୟ ଅସ୍ତଗଲେ ମଣିଷ ପାଇଁ ଆଲୋକ କ’ଣ।’ ଯାଜ୍ଞବଳ୍‌କ୍ୟଙ୍କ ଉତ୍ତର ଥିଲା ‘ଚନ୍ଦ୍ର’। ଜନକ ପୁଣି ପଚାରିଲେ ଯଦି ସୂର୍ଯ୍ୟ ନ ଥାନ୍ତି କି ଚନ୍ଦ୍ର ନ ଥାନ୍ତି, ମଣିଷ ପାଇଁ ଆଲୋକ କ’ଣ। ଯାଜ୍ଞବଳ୍‌କ୍ୟ ଉତ୍ତର ଦେଲେ ‘ଅଗ୍ନି’। ଜନକ କହିଲେ ‘ହେ ଋଷି! ଯେତେବେଳେ ସୂର୍ଯ୍ୟ, ଚନ୍ଦ୍ର, ଅଗ୍ନି ନିର୍ବାପିତ, ସେତେବେଳେ?’ ଯାଜ୍ଞବଳ୍‌କ୍ୟ ଉତ୍ତର ଦେଲେ, ‘ସେତେବେଳେ ବାକ୍‌ ହିଁ ମଣିଷ ପାଇଁ ଆଲୋକ’, କାରଣ ବାକ୍‌ ଶକ୍ତିର ଉପଯୋଗ କରି ସେ ଅନ୍ୟ ସହ ଭାବ ବିନିମୟ କରେ ଓ କର୍ମ କରେ। ତଥାପି ଜନକ ସନ୍ତୁଷ୍ଟ ନ ହୋଇ ପଚାରିଲେ, ‘ଯେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଓ ଅଗ୍ନି ନିର୍ବାପିତ ଏବଂ ବାକ୍‌ ନୀରବ, ସେତେବେଳେ ମଣିଷ ପାଇଁ ଆଲୋକ କ’ଣ।’ ଯାଜ୍ଞବଳ୍‌କ୍ୟ କହିଲେ ‘ସେତେବେଳେ ମଣିଷ ପାଇଁ ଆଲୋକ ତା’ର ଆତ୍ମା।’ ଏହି ଆତ୍ମା ହିଁ ଗାନ୍ଧୀଙ୍କ ଅନ୍ତଃସ୍ବର ଓ ଏହି ଅନ୍ତଃସ୍ବର ଯେଉଁ ପଥ ପ୍ରଦର୍ଶନ କରେ ତାହା ହିଁ ଗାନ୍ଧୀଙ୍କ ପାଇଁ ଥିଲା ସତ୍ୟ। ଲବଣ ସତ୍ୟାଗ୍ରହ ସମୟର କଥା। ଗାନ୍ଧୀ ଜେଲରେ ୨୧ ଦିନ ଅନଶନ କରିବାକୁ ଘୋଷଣା କଲାବେଳେ ଲବଣ ସତ୍ୟାଗ୍ରହ ସମ୍ପର୍କରେ ଚିନ୍ତା କରି ନ ଥିଲେ। ରାତି ଅଧରେ ସତେ ଯେପରି ଅନ୍ତରାତ୍ମା ତାକୁ ନିଦରୁ ଉଠାଇ ଅନଶନ କରିବାକୁ କହିଲା ବୋଲି ଗାନ୍ଧୀ ନିଜେ କହିଛନ୍ତି। ଲବଣ ସତ୍ୟାଗ୍ରହର ଫଳ କ’ଣ ହେବ ସେ ସମ୍ପର୍କରେ ମଧ୍ୟ ତାଙ୍କର କୌଣସି ଧାରଣା ନ ଥିଲା। ଗାନ୍ଧିଜୀ ନିଜେ ସ୍ବୀକାର କରିଛନ୍ତି ଏହି ଧାରଣାଟି ଗୋଟିଏ ଜ୍ୟୋତି ଭଳି ମୋ ମନକୁ ଆସିଥିଲା ଓ ତାହା ସଫଳ ମଧ୍ୟ ହୋଇଥିଲା। ଗାନ୍ଧିଜୀ ତାଙ୍କର ଆତ୍ମକଥାରେ ଲେଖିଛନ୍ତି ମୋ ମତରେ ସତ୍ୟ ହିଁ ସବୁରି ଉପରେ ଏବଂ ସେଥିରେ ଅଗଣିତ ବିଷୟର ସମାବେଶ ହୋଇଯାଉଛି। ଏହି ସତ୍ୟ ସେହି ସ୍ଥୂଳ ବାଚିକ ସତ୍ୟ ନୁହେଁ। ଏହା ବଚନରେ ଯେପରି ସତ୍ୟ, ବିଚାରରେ ମଧ୍ୟ ସେହିପରି ସତ୍ୟ। ଏ ସତ୍ୟ କେବଳ ଆମର କଳ୍ପନାର ସତ୍ୟ ନୁହେଁ। କିନ୍ତୁ ଏହା ସ୍ବତନ୍ତ୍ର ଚିରସ୍ଥାୟୀ ସତ୍ୟ ଅର୍ଥାତ୍‌ ପରମେଶ୍ୱର ହିଁ ଅଟେ। ପରମେଶ୍ୱରଙ୍କ ବ୍ୟାଖ୍ୟା ବା ସଂଜ୍ଞା ଅଗଣିତ, କାରଣ ତାଙ୍କର ବିଭୂତି ମଧ୍ୟ ଅଗଣିତ। ଏ ସମସ୍ତ ବିଭୂତି ବା ଅଭିବ୍ୟକ୍ତି ମୋତେ ଆଶ୍ଚର୍ଯ୍ୟ କରୁଛି। ଏସବୁ ମୋତେ କ୍ଷଣକ ପାଇଁ ମୁଗ୍ଧ କରିଦିଅନ୍ତି। ମାତ୍ର ମୁଁ ସତ୍ୟରୂପୀ ପରମେଶ୍ୱରଙ୍କ ପୂଜାରୀ, ସେହି ଏକ ହିଁ ସତ୍ୟ, ଆଉ ସବୁ ମିଥ୍ୟା। ମୋତେ ଏ ସତ୍ୟ ମିଳି ନାହିଁ। କିନ୍ତୁ ମୁଁ ତାହାକୁ ଖୋଜୁଛି। ତାକୁ ଖୋଜି ପାଇବା ପାଇଁ ମୁଁ ମୋର ସବୁଠାରୁ ପ୍ରିୟ ଜିନିଷକୁ ତ୍ୟାଗ କରିବାକୁ ପ୍ରସ୍ତୁତ। ମୋର ବିଶ୍ୱାସ ଯେ ଏହି ଅନୁସନ୍ଧାନ ରୂପୀ ଯଜ୍ଞରେ ମୁଁ ଏହି ଦେହକୁ ସୁଦ୍ଧା ଆହୂତି ଦେବାକୁ ପ୍ରସ୍ତୁତ ଓ ସେଥିପାଇଁ ମୋର ଶକ୍ତି ଅଛି। ଯେ ପର୍ଯ୍ୟନ୍ତ ଏହି ସତ୍ୟର ସାକ୍ଷାତ ନ ପାଇଛି, ସେ ପର୍ଯ୍ୟନ୍ତ ମୋର ଅନ୍ତରାତ୍ମା ଯାହାକୁ ସତ୍ୟ ମଣୁଛି, ସେହି କାଳ୍ପନିକ ସତ୍ୟକୁ ମୁଁ ଆପଣାର ଆଧାର କରି ମୋର ଦୀପଦଣ୍ଡି ମନେକରି ତାହାରି ଆଶ୍ରୟରେ ମୋର ଜୀବନ କଟାଉଛି। (ଅନୁବାଦ-ଗୋପବନ୍ଧୁ ଚୌଧୁରୀ)। ଗାନ୍ଧିଜୀ ଈଶ୍ୱରଙ୍କୁ କେବେ ଜଣେ ବ୍ୟକ୍ତି ରୂପେ ଗ୍ରହଣ କରି ନାହାନ୍ତି। ସତ୍ୟକୁ ହିଁ ଈଶ୍ୱର ଭାବରେ ଅନୁଭବ କରିଛନ୍ତି ଓ ପ୍ରେମ ହିଁ ସତ୍ୟ ପାଖରେ ପହଞ୍ଚାଇବାର ଏକମାତ୍ର ମାର୍ଗ ବୋଲି ସେ ଦୃଢ ଭାବରେ କହିଛନ୍ତି। ଏହି ପ୍ରେମ ଅହିଂସାର ଅନ୍ୟ ରୂପ। ସତ୍ୟକୁ ଈଶ୍ୱର ଭାବରେ ଗ୍ରହଣ କରିବା ପଛରେ ଗାନ୍ଧିଜୀଙ୍କ ଏକ ସୁନ୍ଦର ଯୁକ୍ତି ଅଛି। ‘ନାସ୍ତିକ ଈଶ୍ୱରଙ୍କ ସ୍ଥିତିକୁ ସିନା ଅସ୍ବୀକାର କରେ, ସତ୍ୟର ଶକ୍ତିକୁ ସ୍ବୀକାର କରେ।’ ଏଣୁ ସେ ଈଶ୍ୱର ସତ୍ୟ କହିବା ପରିବର୍ତ୍ତେ ସତ୍ୟ ହିଁ ଈଶ୍ୱର କହୁଥିଲେ।

ଡ. ଛାୟାକାନ୍ତ ଷଡ଼ଙ୍ଗୀ
ପ୍ରାକ୍ତନ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼
ମୋ-୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri