Categories: ରାଜ୍ୟ

ଗାଧୋଇବା ବେଳେ ବ୍ରାହ୍ମଣୀରେ ବୁଡ଼ି ଯାଇଥିଲେ, ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ପରଜଙ୍ଗ,୨୪।୫(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ନବୋଦୟ ବିଦ୍ୟାଳୟ ନିକଟ ବ୍ରାହ୍ମଣୀ ନଦୀର ଘାଟରେ ଗୁରୁବାର ଅପରାହ୍ନରେ ବୁଡ଼ି ଯାଇ ନିଖୋଜ ଥିବା ସାଇ ଚାନ୍ଦଙ୍କର ମୃତଦେହକୁ ବୁଡିଯାଇଥିବା ସ୍ଥାନଠାରୁ କିଛି ଦୂରରୁ ଶୁକ୍ରବାର ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି।

ସୂଚନାଯୋଗ୍ୟ, ନାଲ୍‌କୋ ସିଆଇଏସ୍‌ଏଫ୍‌ କର୍ମଚାରୀ କେ. ବିଜୟ ଶେଖରଙ୍କ ପୁଅ ସାଇ ଚାନ୍ଦ ଓ ରାମରାଓ ଟୁଡୁଙ୍କ ପୁଅ କ୍ରିଷ୍ଣା ଟୁଡୁ ମିଶି ଆଇଜିଆଇଟିରେ ସାଇ ଚାନ୍ଦଙ୍କ ଜଣେ ସାଙ୍ଗକୁ ଭେଟିବାକୁ ଆସିଥିଲେ। କିନ୍ତୁ ଅପରାହ୍ନରେ ଦୁହେଁ ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇଥିଲେ। ସେଠାରେ ସାଇ ଚାନ୍ଦ ନଦୀରେ ଗାଧୋଉଥିବା ବେଳେ କ୍ରିଷ୍ଣା କୂଳରେ ବସିଥିଲେ। ତେବେ ହଠାତ୍‌ ସାଇ ଚାନ୍ଦ ଗଭୀର ପାଣିକୁ ଭାସି ଯାଇଥିଲେ। ଉଦ୍ଧାର କରିବାକୁ ଡାକ ପକାଇଥିଲେ ସୁଦ୍ଧା କ୍ରିଷ୍ଣା ଉଦ୍ଧାର କରିବାକୁ ସାହସ ଜୁଟାଇ ପାରି ନ ଥିଲେ। ପରେ ସେ ଘଟଣା ସମ୍ପର୍କରେ ସରାଙ୍ଗ ଫାଣ୍ଡିରେ ଜଣାଇଥିଲେ। ପରେ ପରଜଙ୍ଗ ଓ ସିଆଇଏଫ୍‌ଏସ୍‌ର ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜା ଖୋଜି କରିଥିଲେ ସୁଦ୍ଧା ସାଇ ଚାନ୍ଦଙ୍କ କୌଣସି ସନ୍ଧାନ ମିଳି ପାରି ନ ଥିଲା। ରାତି ହୋଇ ଯିବାରୁ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ତେବେ ଶୁକ୍ରବାର ମୃତଦେହ ଉଦ୍ଧାର ହେବା ପରେ ଘଟଣା ସ୍ଥଳରେ ସରାଙ୍ଗ ଫାଣ୍ଡି ଅଧିକାରୀ ଦାମୋଦର ସାହୁ ପହଞ୍ଚିି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏ ନେଇ ପରଜଙ୍ଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।