ଗାଦି ପାଇବେ କି ଗାଦି

ଗୋଟେ ମାସରୁ କମ୍‌ ସମୟ ମଧ୍ୟରେ ୪ଟି ଦେଶରେ ଗୁରୁତ୍ୱପୂର୍ଣ୍ଣ ୪ଟି ଘଟଣା ଦେଖିବାକୁ ମିଳିଛି। ସେହି ଦେଶଗୁଡ଼ିକ ହେଲା ଇସ୍ରାଏଲ୍‌, ଆମେରିକା, ସର୍ବିୟା ଓ ବ୍ରାଜିଲ। ଏହି ଦେଶଗୁଡ଼ିକର ରାଜନୀତିକ ଉତ୍ଥାନ ପତନ ଆଲୋଚନାର ବିଷୟ ପାଲଟିଛି।
ସଦ୍ୟ ଘଟଣା ହେଲା ଇସ୍ରାଏଲ ପ୍ରତିରକ୍ଷା ବାହିନୀର ପୂର୍ବତନ ମୁଖ୍ୟ ଗାଦିି ଆଇସେନକୋଟ୍‌ ପରବର୍ତ୍ତୀ ସରକାର ଗଠନ କରିବା ପାଇଁ ସେଠାକାର ସଂସଦ ‘କେନାସେଟ୍‌’ ସଦସ୍ୟଙ୍କ ମଧ୍ୟରେ ବହୁମତ ସମର୍ଥନ ହାସଲ କରିବାକୁ ଯାଉଛନ୍ତି। ରାଷ୍ଟ୍ରପତି ଆଇଜାକ ହର୍ଜୋଗଙ୍କ ସହ ଆଲୋଚନା ସମୟରେ ଆରବ ଦଳଗୁଡ଼ିକ ତାଙ୍କ ନାମ ସୁପାରିସ କରିବା ପରେ ଆଇସେନକୋଟ୍‌ଙ୍କ ପଲା ଭାରି ରହିଛି। ଅକ୍ଟୋବର ୨୭ରେ ହୋଇଥିବା ନିର୍ବାଚନ ଅନୁଯାୟୀ ୧୨୦ ଆସନ ବିଶିଷ୍ଟ ସଂସଦରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ମେଣ୍ଟ ୫୩ଟି ଆସନ ପାଇଥିବା ବେଳେ ଆଇସେନକୋଟ୍‌ଙ୍କ ମେଣ୍ଟ ୪୮ଟି ଆସନ ଜିତିଛି। ଅନ୍ୟପଟେ ଆରବ ଦଳଗୁଡ଼ିକ ୧୯ଟି ଆସନ ଜିତି କିଙ୍ଗ୍‌ମେକର୍‌ ଭାବେ ଉଭା ହୋଇଛନ୍ତି। ଏଥିମଧ୍ୟରୁ ୮ଟି ଆସନ ପାଇଥିବା ରାଆ’ମ୍‌ ଦଳର ନେତା ମନସୁର ଆବାସ ପୂର୍ବରୁ ଆଇସେନକୋଟ୍‌ଙ୍କ ନାମ ସୁପାରିସ କରିଥିବା ବେଳେ ୧୧ଟି ଆସନ ପାଇଥିବା ଅନ୍ୟତମ ପ୍ରମୁଖ ଆରବ ରାଜନୈତିକ ଗୋଷ୍ଠୀ ‘ଜଏଣ୍ଟ ଲିଷ୍ଟ୍‌’ ମଧ୍ୟ ଆଇସେନକୋଟ୍‌ଙ୍କ ସପକ୍ଷରେ ରହିଛି। ଫଳରେ ଆଇସେନକୋଟ୍‌ଙ୍କୁ ୬୭ଟି ସୁପାରିସ ମିଳିଥିବା ବେଳେ ନେତାନ୍ୟାହୁଙ୍କ ସପକ୍ଷରେ ୪୬ଟି ସୁପାରିସ ଅଛି। ନେତାନ୍ୟାହୁଙ୍କ ସହଯୋଗୀ ଦଳ ‘ୟୁନାଇଟେଡ୍‌ ତୋରା ଜୁଡାଇଜିମ୍‌’ କୌଣସି ପ୍ରାର୍ଥୀଙ୍କୁ ସୁପାରିସ ନ କରିବାରୁ ଆଇସେନକୋଟ୍‌ ସରକାର ଗଢ଼ିବା ଲାଗି ଆଗରେ ଅଛନ୍ତି। ରାଷ୍ଟ୍ରପତି ମଧ୍ୟ ତାଙ୍କୁ ସରକାର ଗଠନ ପାଇଁ ଡାକିଛନ୍ତି। ଗାଜାରେ ଦୀର୍ଘ ଦିନ ହେବ ଯୁଦ୍ଧ କରିବା ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ମିଶି ନେତାନ୍ୟାହୁ ଇରାନ୍‌ ସହିତ ଯୁଦ୍ଧ ଜାରି ରଖିବା ତାଙ୍କ ଲୋକପ୍ରିୟତାକୁ ହ୍ରାସ କରିଦେଇଛି। ନେତାନ୍ୟାହୁ ସରକାରଙ୍କ ପତନ ଘଟିଲେ ତାହା ଭାରତ ପାଇଁ ହାନିକାରକ ହୋଇପାରେ। ଗାଜା ଆକ୍ରମଣରେ ନୀରବ ରହିଆସିଥିବା ଭାରତର ବୈଦେଶିକ ନୀତିର ଏକ ବଡ଼ ପରୀକ୍ଷା ଏବେ ଇସ୍ରାଏଲରେ ଦେଖିବାକୁ ମିଳିବ।
ଦ୍ୱିତୀୟ ଘଟଣାକୁ ଦେଖିଲେ ୩ ନଭେମ୍ବର ୨୦୨୬ରେ ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ଅମେରିକୀୟ ସଂସଦ ‘କଂଗ୍ରେସ’ର ଦୁଇ ଗୃହ ପ୍ରତିନିଧି ସଭା ଓ ସିନେଟ୍‌ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉଭୟ ସଦନରେ ରାଷ୍ଟ୍ରପତି ଟ୍ରମ୍ପ୍‌ ଓ ତାଙ୍କର ରିପବ୍ଲିକାନ୍‌ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସେହିଭଳି ଆମେରିକାର ରାଜ୍ୟ ନିର୍ବାଚନଗୁଡ଼ିକରେ ପୂର୍ବରୁ ରେଡ୍‌ ବା ରିପବ୍ଲିକାନ୍‌ ସମର୍ଥନ ରାଜ୍ୟ ଭାବେ ପରିଚିତ ଟେକ୍ସାସ୍‌, ଓହାଇଓ, କ୍ୟାନ୍‌ସେସ୍‌, ନର୍ଥ କାରୋଲିନା, ସାଉଥ୍‌ କାରୋଲିନା, ଆଇଓ୍ବା ଆଦି ନଗଦ ନିର୍ବାଚନକୁ ଯାଇ ଡେମୋକ୍ରାଟିକ୍‌ ଦଳକୁ ସମର୍ଥନ କରିଛନ୍ତି। ଇରାନ୍‌ ବିରୋଧରେ ଯୁଦ୍ଧ, ଏଚ୍‌୧ବି ଭିଜାକୁ ନେଇ କଠୋର କଟକଣାଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିବା ଏବଂ ଡାଟା ସେଣ୍ଟର ପ୍ରୀତି ଟ୍ରମ୍ପ୍‌ଙ୍କୁୁ ପରାଜୟ ଆଣିଦେଇଛି। ଟ୍ରମ୍ପ୍‌ଙ୍କୁ ଗତାନୁଗତିକ ଭୋଟ ଦେଇଆସୁଥିବା ଗୋରା ଗ୍ରାମବାସୀଙ୍କ ସମର୍ଥନ ଡାଟା ସେଣ୍ଟର ସ୍ଥାପନକୁ ନେଇ ହ୍ରାସ ପାଇଛି। ଟ୍ରମ୍ପ୍‌ଙ୍କ ବହୁବିଧ ନିଷ୍ପତ୍ତି ତାଙ୍କୁ ନିଜ ଦେଶ ଭିତରେ ହରାଇଦେଲା। ପ୍ରତି କଥାରେ ଟ୍ରମ୍ପ୍‌ ଆକ୍ରମଣାତ୍ମକ ତଥା ଏକସିଙ୍ଗିଆ ନିଷ୍ପତ୍ତି ନେବାରୁ ଆମେରିକାବାସୀ ତାଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କରି ଡେମୋକ୍ରାଟିକ୍‌ ଦଳକୁ ସମର୍ଥନ କଲେ। ଏବେ ଟ୍ରମ୍ପ୍‌ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ସ୍ବୀକାର କରିଛନ୍ତି ଯେ, ଯୁଦ୍ଧ ଏବଂ ଏଚ୍‌୧ବି ଭିଜା ଭଳି କାରଣ ଯୋଗୁ ତାଙ୍କ ଦଳ ହାରିଲା। କିନ୍ତୁ ଦେଖିବାକୁ ଗଲେ ବାସ୍ତବରେ ଟ୍ରମ୍ପ୍‌ଙ୍କ ବ୍ୟବହାର ଓ ଆଚରଣ ପାଇଁ ତାଙ୍କ ଦଳର ପରାଜୟ ଘଟିଲା। ଟ୍ରମ୍ପ୍‌ ଭାବିଥିଲେ ମନଇଚ୍ଛା ଆମେରିକାକୁ ପରିଚାଳନା କରିବେ। ଆଜିର ପୃଥିବୀରେ ଅନେକ ରାଜନେତା, ନିର୍ବାଚନ ଜିଣିବା ପରେ, ନିଜକୁ ଦେଶର ସର୍ବେସର୍ବା ଭାବିନେଉଛନ୍ତି। ଦୀର୍ଘକାଳ ଶାସନ କରିବା ପାଇଁ ଉଦ୍ଦେଶ୍ୟ ରଖି ବିରୋଧୀଙ୍କ କଣ୍ଠରୋଧ କରିବା ହୋଇଯାଇଛି ଶାସକଙ୍କ ନୂଆ ରୋଗ।
ସେହିପରି ଦକ୍ଷିଣପନ୍ଥୀ ନେତା ସର୍ବିୟାର ଆଲେକଜାଣ୍ଡର ଭୁଚିଚ୍‌ ପ୍ରାୟ ୧୪ ବର୍ଷ ଶାସନ କରିବା ପରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଯୋଗୁ ପରାଜୟ ବରଣ କରିଛନ୍ତି।
ଅକ୍ଟୋବର ଶେଷ ସପ୍ତାହରେ ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭା ୪ର୍ଥ ଥର ପାଇଁ ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। ବାମପନ୍ଥୀ ନେତା ଲୁଲା ଦକ୍ଷିଣପନ୍ଥୀ ନେତା ଫ୍ଲାଭିଓ ବୋଲ୍‌ସୋନାରୋଙ୍କୁ ପରାସ୍ତ କରିଥିଲେ। ମନେପକାଇ ଦିଆଯାଇପାରେ ଯେ ଫ୍ଲାଭିଓଙ୍କୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ସମ୍ପୂର୍ଣ୍ଣ ସହଯୋଗ କରିଆସୁଥିଲେ। ଫ୍ଲାଭିଓଙ୍କ ପିତା ତଥା ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସେନାରୋ ତାଙ୍କ ଶାସନକାଳରେ ପରିବେଶ ପ୍ରତି ଅବିଚାରିତ ମନୋଭାବ ପ୍ରଦର୍ଶନ କରି ବିଶ୍ୱର ଫୁସ୍‌ଫୁସ୍‌ ଭାବେ ପରିଚିତ ଆମାଜନ ଜଙ୍ଗଲକୁ ନଷ୍ଟ କରିଦେଇଥିଲେ। ଏଥିସହିତ ତାଙ୍କର ଦକ୍ଷିଣପନ୍ଥୀ ଚିନ୍ତାଧାରା ଯୋଗୁ ଓ ହାତଗଣତି ବ୍ୟବସାୟୀଙ୍କ ସ୍ବାର୍ଥକୁ ଜଗି ସାଧାରଣ ଗରିବଙ୍କୁ ଦମନ କରିବାର ନୀତି ଏବେ ମଧ୍ୟ ବ୍ରାଜିଲବାସୀ ଭୁଲିନାହାନ୍ତି।
ଏହି ୪ଟି ଦେଶର ନିର୍ବାଚନ ଏହା ସଙ୍କେତ ଦେଇଛି ଯେ, ମନମୁଖି ଶାସନକୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରିଛନ୍ତି। ଏମିତି ଏକ ସମୟ ଥିଲା ଯେତେବେଳେ ଦେଶପ୍ରୀତି ଦେଖାଇବାକୁ ଯାଇ ଅନେକ ଦେଶର ନାଗରିକ ଯୁଦ୍ଧରେ ବିଜୟକୁ ନେଇ ଗର୍ବ କରୁଥିଲେ। ସେହି ଯୁଗର ସମାପ୍ତି ଘଟିଲା ବୋଲି ମନେହେଉଛି ଏବଂ ମୁଷ୍ଟିମେୟ ଧନୀ ଲୋକଙ୍କୁ ସମର୍ଥନ କରିବା ଚିନ୍ତାଧାରା ବିଶ୍ୱବ୍ୟାପୀ ନାଗରିକଙ୍କୁ ଅତିଷ୍ଠ କଲାଣି। ବୈଶ୍ୱିକ ଅର୍ଥନୈତିକ ସଙ୍କଟ ଏବେ ସବୁ ଦେଶର ନାଗରିକଙ୍କୁ ନିଜେ ତିଷ୍ଠିବା ସହ ପରିବାରକୁ ଚଳେଇ ରଖିବାର ଚିନ୍ତାରେ ଅଛି। ଏହିଭଳି ପରିବର୍ତ୍ତିତ ମାନସିକତା ଦକ୍ଷିଣପନ୍ଥୀ ଚିନ୍ତାଧାରାକୁ ପଛରେ ପକାଇ ନୂଆ ଯୁଗର ଅନୁସନ୍ଧାନ କରୁଛି। ସେଥିରେ ସମଗ୍ର ପୃଥିବୀର ଯୁବଶକ୍ତିର ସ୍ବର ଆଗରେ ଥିଲାଭଳି ମନେହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଶଦୀପ ସିଂହଙ୍କ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେବା ଖବରକୁ ନେଇ ତାଙ୍କ ପିତା କହିଲେ ଏମିତି…

ନୂଆଦିଲ୍ଲୀ,୧୦।୧୧: ଏହା ନିଶ୍ଚିତ ଯେ ଆଇପିଏଲ (IPL) ୨୦୨୭ରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂହ ନୂତନ ଦଳ ସହ ରହିବେ। କିଛି ଦିନ ପୂର୍ବରୁ ଆସିଥିବା…

ଗୋବର୍ଦ୍ଧନ ପୂଜା ଅବସରରେ ଗାଈକୁ ଘାସ ଖୁଆଇଲେ ପ୍ରଧାନମନ୍ତ୍ରୀ ମୋଦି, ଫଟୋ ବି ଶେୟାର କଲେ

ନୂଆଦିଲ୍ଲୀ,୧୦।୧୧: ପ୍ରଧାନମନ୍ତ୍ରୀ ମୋଦି ଗୋବର୍ଦ୍ଧନ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିରେ ସେ ଏକ ଗାଈକୁ ଘାସ…

ବାଣରୁ ଅଭିନେତାଙ୍କ ଘରେ ଲାଗିଗଲା ନିଆଁ, ଜଳି ପାଉଁଶ ହେଲା….

ମୁମ୍ବାଇ: ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ଅଭିନେତା ଗୁରଫତେହ ପିରଜାଦାଙ୍କ ଘରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି। ନେଟ୍‌ଫ୍ଲିକ୍ସର ‘ଲଷ୍ଟ ଷ୍ଟୋରିଜ୍‌ ୩’ରେ ଅଭିନୟ କରି…

‘ସାକ୍ଷାତ ସମୟରେ ଆଖି ମିଶାଇ କଥା ହୁଅନ୍ତି ନାହିଁ ମୋଦି’, ପ୍ରଧାନମନ୍ତ୍ରୀଙ୍କୁ ନେଇ ଏମିତି କିଛି କଥା ଉଲ୍ଲେଖ ରହିଛି ସୋନିଆଙ୍କ ପୁସ୍ତକରେ, ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୧: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର କେବେବି କୌଣସି ପ୍ରକୃତ କିମ୍ବା ଗମ୍ଭୀର ଆଲୋଚନା ହୋଇନାହିଁ।…

ଗୌତମ ଗମ୍ଭୀରଙ୍କୁ ଘେରିଲେ ପୂର୍ବତନ କୋଚ: ଉଠାଇଲେ ବଡ଼ ପ୍ରଶ୍ନ, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୧୦।୧୧:ଭାରତୀୟ ଦିନିକିଆ ଦଳରେ ଯୁବ ବ୍ୟାଟର୍‌ ଯଶସ୍ବୀ ଜୟସ୍ବାଲଙ୍କୁ ନିୟମିତ ସୁଯୋଗ ନ ମିଳିବା ନେଇ ପ୍ରଶ୍ନ ଉଠାଇଛନ୍ତି ଭାରତର ପୂର୍ବତନ ସହକାରୀ କୋଚ ରାୟାନ ଟେନ…

ORS ମନୀଷା ମିଶ୍ର ବରଖାସ୍ତ: ପ୍ରୋବେସନ୍ ଅବଧିରେ ଲାଞ୍ଚନେଇ ପଡ଼ିଲେ ଧରା

ଭୁବନେଶ୍ୱର,୧୦।୧୧: ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଓଡ଼ିଶା ରାଜସ୍ୱ ସେବା (ORS) ଅଧିକାରୀ ମନୀଷା ମିଶ୍ରଙ୍କୁ ରାଜ୍ୟ ସରକାର ଚାକିରିରୁ ବରଖାସ୍ତ କରିଛନ୍ତି। ପ୍ରୋବେସନ୍…

୬ ମାସ ପାଇଁ ଜନଶୂନ୍ୟ ହୋଇଯାଏ ୨ ଗାଁ! ଘରେ ଝୁଲେ ତାଲା, କାରଣ ଜାଣିଲେ….

କାଠମାଣ୍ଡୁ,୧୦।୧୧: ଭାରତର ପଡ଼ୋଶୀ ଦେଶ ନେପାଳରେ ଏମିତି ଦୁଇଟି ଗାଁ ରହିଛି, ଯେଉଁଠି ବର୍ଷର ୬ ମାସ କେହି ରହନ୍ତି ନାହିଁ । ଶୀତ ଋତୁ ଆସିବା…

କଳାମାଟିଆ ଡାକ୍ତରଙ୍କ ବଦଳି ବାତିଲ ଦାବିରେ ଗ୍ରାମବାସୀଙ୍କ ଧାରଣା, ସିଡିଏମ୍‌ଓ କହିଲେ….

ବରୀ,୧୦।୧୧(ମହେନ୍ଦ୍ର ସ୍ୱାଇଁ ): ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ କଳାମାଟିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇ ସେବା ଯୋଗାଇ ଆସୁଥିଲେ ଆୟୁଷ ଡାକ୍ତର କୈଳାଶ ଚନ୍ଦ୍ର ପତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?