ଗାଡ଼ି ଯାଞ୍ଚ ନାଁରେ ଚାନ୍ଦା ଆଦାୟ, ପୋଲିସ ଏଏସ୍‌ଆଇ ନିଲମ୍ବିତ

ବ୍ରହ୍ମପୁର ଅଫିସ, ୭।୯: ଟ୍ରାଫିକ ନିୟମ ଅନୁସାରେ ପୋଲିସ ଯାନବାହନଗୁଡ଼ିକର କାଗଜପତ୍ର ଯାଞ୍ଚ କରୁଛି। ହେଲେ ଗାଡ଼ି ଯାଞ୍ଚ ନା’ରେ ଚାନ୍ଦା ଆଦାୟ କରିବା ଏବେ ଜଣେ ଟ୍ରାଫିକ ଏଏସ୍‌ଆଇଙ୍କୁ ମହଙ୍ଗା ପଡିଛି। ଏ ନେଇ ଅଭିଯୋଗ ହେବା ପରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସମ୍ପୃକ୍ତ ପୋଲିସ ଏଏସ୍‌ଆଇ ସୁଗୁ. ନାରାୟଣଙ୍କୁ ଡିଓ ନମ୍ବର ୧୭୫୪/୧୯ ଅନୁସାରେ ନିଲମ୍ବନ କରିଛନ୍ତି।
ପ୍ରକାଶ ଯେ, ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସାରୁ ଗ୍ରାମର ଭଦ୍ରିନାଥ ପଣ୍ଡା ଗତ ୨୭ ତାରିଖରେ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ବ୍ରହ୍ମପୁର ଆସିଥିଲେ। ଫାଷ୍ଟ ଗେଟ୍‌ ନିକଟରେ ଯାନବାହନ ଯାଞ୍ଚ କରୁଥିବା ଟ୍ରାଫିକ୍‌ ଏଏସ୍‌ଆଇ ସୁଗୁ. ନାରାୟଣ ଭଦ୍ରିନାଥଙ୍କ ବାଇକ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ। ତ୍ରୁଟି ଦର୍ଶାଇ ତାଙ୍କୁ ୨୦୦ ଟଙ୍କା ଜରିମାନା ଦେବାକୁ କହିଥିଲେ। ଭଦ୍ରିନାଥ ଉକ୍ତ ଏଏସ୍‌ଆଇ ନାରାୟଣଙ୍କୁ ୨୦୦ ଟଙ୍କା ଦେବା ପରେ ଏହାର ରସିଦ ମାଗିଥିଲେ। ତେବେ ଏଏସ୍‌ଆଇ ରସିଦ ଦେବା ବଦଳରେ ତାଙ୍କୁ ସେଠାରୁ ଚାଲିଯିବାକୁ ଧମକ ଦେଇଥିଲେ। ଏ ନେଇ ଭଦ୍ରିନାଥ ଟ୍ରାଫିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଟ୍ରାଫିକ ଡିଏସ୍‌ପି ଦାୟିତ୍ୱରେ ଥିବା ରାମକୃଷ୍ଣ ପତି ଘଟଣାର ତଦନ୍ତକରି ଏସ୍‌ପି ମିଶ୍ରଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ। ଘଟଣାର ସତ୍ୟତା ଓ ଡିଏସ୍‌ପିଙ୍କ ରିପୋର୍ଟକୁ ଆଧାରକରି ଏସ୍‌ପି ମିଶ୍ର ଉକ୍ତ ଟ୍ରାଫିକ ଏଏସ୍‌ଆଇ ନାରାୟଣଙ୍କୁ ତାଙ୍କ ଦାୟିତ୍ୱରୁ ନିଲମ୍ବନ କରିଛନ୍ତି।