ଗାଡ଼ି ଚାଳନା ଉପରେ ଲାଗିଲା କଟକଣା: ସଉଦା ପାଇଁ ଚାଲିକରି ଯିବାକୁ ହେବ

ଭୁବନେଶ୍ୱର, ୨୪।୩(ବ୍ୟୁରୋ): କରୋନା ଭୂତାଣୁର ସମ୍ପ୍ରସାରଣ ରୋକିବା ପାଇଁ ରାଜ୍ୟ ସରକାର ଘରେ ନିଜକୁ ଆବନ୍ଧ ରଖିବା ଲାଗି ଲୋକଙ୍କୁ ନିବେଦନ କରିଛନ୍ତି। ଏ ନେଇ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ଅତି ଜନବହୁଳ ୫ଟି ଜିଲାକୁ ଲକ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୯ଟି ଜିଲା ଏବଂ ତୃତୀୟ ପର୍ଯ୍ୟାୟରେ ଆଉ ୧୬ଟି ଜିଲାକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଲକ୍‌ଡାଉନ୍‌ ହୋଇଥିବା ଜିଲାଗୁଡ଼ିକରେ ଲୋକମାନେ କଟକଣାକୁ ମାନୁ ନ ଥିବା ପରିଲକ୍ଷିତ ହୋଇଛି। ବିଶେଷକରି ସହରାଞ୍ଚଳରେ ଲୋକମାନେ ଯାନବାହନରେ ଯାତାୟାତ କରୁଥିବା ଦେଖିଯାଇଛି। ଲକ୍‌ଡାଉନ୍‌ ମାନୁ ନ ଥିବାରୁ ସରକାର ଆଇନ୍‌ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଜରୁରୀ ସାମଗ୍ରୀ ଆଣିବା ପାଇଁ ଲୋକେ ଯାନବାହନ ବଦଳରେ ଚାଲିକରି ଯିବେ। ଯେଉଁମାନେ ଏହି ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।