ଗାଡ଼ିମାଲିକଙ୍କୁ ମୋଟର ଯାନ କର ପ୍ରଦାନ କ୍ଷେତ୍ରରେ ଆଶ୍ୱସ୍ତି: ଏପ୍ରିଲ ୧୫ ସୁଦ୍ଧା ଦେଇ ନ ଥିବା କର ଜୁନ୍‌ ୩୦ ସୁଦ୍ଧା ଦେଇପାରିବେ

ଭୁବନେଶ୍ୱର,୧୦ା୪(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ତଥା ରାଜ୍ୟ ସରକାର ଦେଶରେ ଏବଂ ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରଖିଛନ୍ତି। ଏହି ଲକ୍‌ଡାଉନ ଅବଧି ଆସନ୍ତା ୧୪ତାରିଖରେ ଶେଷ ହେବାକୁ ଥିବାବେଳେ ରାଜ୍ୟ ସରକାର ଏହାକୁ ଗୁରୁବାର ଆହୁରି ୧୬ଦିନ ପାଇଁ ବୃଦ୍ଧି କରିଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପ୍ରିଲ ୧୫ସୁଦ୍ଧା ଟ୍ୟାକ୍ସ ଦେବାକୁ ଥିବା ଗାଡ଼ି ମାଲିକମାନଙ୍କୁ ସରକାର ଆଶ୍ୱସ୍ତି କରିଛନ୍ତି। ରାଜ୍ୟ ସରକାର ମୋଟର ଯାନ କର ପୈଠ ତାରିଖକୁ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଷ୍ଟେଜ୍‌ କ୍ୟାରେଜ୍‌, କଣ୍ଟ୍ରାକ୍ଟ କ୍ୟାରେଜ ଏବଂ ବିଭିନ୍ନ ମାଲ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଏପ୍ରିଲ ମାସ ପାଇଁ ସେମାନଙ୍କ ମୋଟର ଯାନ ଟିକସ ଓ ଅତିରିକ୍ତ ଟିକସ ଦେଇ ନାହାନ୍ତି ସେମାନେ ଜୁନ୍‌ ୩୦ ମଧ୍ୟରେ ଟିକସ ପୈଠ କରିବେ। ସେହିପରି ଯେଉଁ ମାଲ୍‌ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଏପ୍ରିଲ-ଜୁନ୍‌ ତ୍ରୈମାସିକ ମୋଟର ଯାନ ଟିକସ ପ୍ରଦାନ କରିନାହାନ୍ତି ସେମାନେ ମଧ୍ୟ ଏହି ଅବଧିରେ ଟିକସ ଦାଖଲ କରିବାକୁ କୁହାଯାଇଛି। ସେହିପରି ସ୍କୁଲ ବସ୍‌ ଏବଂ ନିର୍ମାଣ ଉପକରଣ ପରିବହନ କରୁଥିବା ଗାଡିଗୁଡିକ ପାଇଁ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ। କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗାଡ଼ି ମାଲିକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ଏହି ଗ୍ରେସ୍‌ ଅବଧିକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏନେଇ ଗୁରୁବାର ବାଣିଜ୍ୟ ଓ ପରିବହନ ବିଭାଗ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।