Categories: ଖେଳ

ଗାଙ୍ଗୁଲି, ଲକ୍ଷ୍ମଣଙ୍କୁ ଦୁଇଟି ବିକଳ୍ପ

ନୂଆଦିଲ୍ଲୀ,୨୧।୬- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏଥିକ୍ସ ଅଫିସର ଡି.କେ. ଜୈନ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଓ ଭି.ଭି.ଏସ୍‌. ଲକ୍ଷ୍ମଣଙ୍କୁ ଉପଦେଷ୍ଟା କମିଟି (ସିଏସି)ର ସଦସ୍ୟ ଏବଂ ଆଇପିଏଲ ଫ୍ରାଞ୍ଚାଇଜର ମେଣ୍ଟର ଦାୟିତ୍ୱ ମଧ୍ୟରୁ ଗୋଟିଏ ବାଛିବାକୁ କହିଛନ୍ତି। ଦୁଇ ପୂର୍ବତନ ଖେଳାଳି ଡବଲ ପଦରେ ଥିବାରୁ କନ୍‌ପ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ ସ୍ଥିତି ସୃଷ୍ଟି ହେଉଛି। ଲକ୍ଷ୍ମଣ ଆଇପିଏଲ ଦଳ ସନରାଇଜର୍ସ ହାଇଦ୍ରାବାଦ ମେଣ୍ଟର ପଦରେ ଥିବାବେଳେ ଗାଙ୍ଗୁଲି ଦିଲ୍ଲୀ କ୍ୟାପଟାଲ୍ସ ଫ୍ରାଞ୍ଚାଇଜର ସମାନ ପଦରେ ରହିଛନ୍ତି। ଏହାବାଦ୍‌ ଗାଙ୍ଗୁଲି କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି) ସଭାପତି ଦାୟିତ୍ୱରେ ମଧ୍ୟ ରହିଛନ୍ତି। ପୂର୍ବତନ ଅଧିନାୟକ ଏଭଳି ସ୍ଥିତିରୁ ବର୍ତ୍ତି ଯାଇଥିଲେ ମଧ୍ୟ ଲକ୍ଷ୍ମଣ ପ୍ରଥମ ଥର ଏଭଳି ସମସ୍ୟା ସମ୍ମୁଖୀନ ହୋଇଛନ୍ତି। ଜଣଙ୍କୁ ଗୋଟିଏ ପଦବି ଲାଗି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଲୋଧା କମିଟି ସୁପାରିସରେ ଉଲ୍ଲେଖଥିଲା। ସଚିନ ତେନ୍ଦୁଲକର ମୁମ୍ବାଇ ଇଣ୍ଡିଆନ୍ସ ଦଳର ମେଣ୍ଟର ପଦରେ ଥିଲେ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ଆସିନାହିଁ। କାରଣ ସିଏସି କମିଟିରୁ ଇସ୍ତଫା ଦେଇସାରିଛନ୍ତି। କିନ୍ତୁ ବର୍ତ୍ତମାନ ଗାଙ୍ଗୁଲି ଓ ଲକ୍ଷ୍ମଣଙ୍କୁ ଭାରତୀୟ କ୍ରିକେଟକୁ କେଉଁ ଭଳି ସାହାଯ୍ୟ କରିବେ, ତାହା ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ଜୈନ କହିଛନ୍ତି। ଗତ ଫେବୃୟାରୀରେ ସୁପ୍ରିମକୋର୍ଟଙ୍କ ଦ୍ୱାର ନିଯୁକ୍ତ ହୋଇଥିବା ଜୈନ ରବିନ ଉଥପ୍ପା ଓ ଇର୍ଫାନ ପଠାନଙ୍କ ଭଳି ସକ୍ରିୟ କ୍ରିକେଟରଙ୍କ କମେଣ୍ଟ୍ରି କରିବା ଉପରେ ମଧ୍ୟ ସ୍ପଷ୍ଟିକରଣ ଦେଇଛନ୍ତି। ସକ୍ରିୟ ଖେଳାଳିଙ୍କ ଉପରେ ଆସିଥିବା ଅଭିଯୋଗ ସମ୍ପର୍କରେ ସେ କହିଛନ୍ତି, କ୍ରିକେଟରଙ୍କୁ କମେଣ୍ଟ୍ରି କରିବାକୁ ମୁଁ ରୋକୁନାହିଁ। ମୁଁ କେବଳ ଲୋଧା କମିଟିଙ୍କ ସୁପାରିସକୁ କାର୍ଯ୍ୟକାରୀ କରୁଛି। କନ୍‌ପ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ ଅର୍ଥ କ’ଣ ମୁଁ ଜାଣିବା ପରେ ଏହି ନିଷ୍ପତ୍ତି ନେଇଛି। ଏହାକୁ ବୋର୍ଡ ଗ୍ରହଣ କରିବ କି ନାହିଁ ଜଣାନାହିଁ।

Share