Categories: ଖେଳ

ଗାଙ୍ଗୁଲି ଆଇସିସି ଚେୟାରମ୍ୟାନ ହେବା ଚାହାନ୍ତି କାନେରିଆ

ନୂଆଦିଲ୍ଲୀ,୭।୬: ଭାରତୀୟ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ନୂଆ ଅଧ୍ୟକ୍ଷ ହେବା ଚାହାନ୍ତି ପାକିସ୍ତାନର ହିନ୍ଦୁ କ୍ରିକେଟର ତଥା ପୂର୍ବତନ ସ୍ପିନର ଡାନିସ୍‌ କାନେରିଆ। ଏହି ହାଇପ୍ରୋଫାଇଲ ପଦ ପାଇଁ ଗାଙ୍ଗୁଲି ହିଁ ଉପଯୁକ୍ତ ବ୍ୟକ୍ତି। ଯଦି ସେ ଏହି ପଦକୁ ନିର୍ବାଚତ ହୁଅନ୍ତି ତା’ହେଲେ ମୋତେ ନ୍ୟାୟ ମିଳିବ। ମୋ ଉପରେ ଲାଗୁ କରାଯାଇଥିବା ବାସନ୍ଦାଦେଶ ବିରୋଧରେ ଅପିଲ କରିବି ଓ ଗାଙ୍ଗୁଲି ଏ ନେଇ ମୋତେ ନ୍ୟାୟ ଦେବାରେ ସଫଳ ହେବେ ବୋଲି କାନେରିଆ କହିଛନ୍ତି।
ଗାଙ୍ଗୁଲି ହେଉଛନ୍ତି ଜଣେ ଉଚ୍ଚକୋଟୀର କ୍ରିକେଟର। ତାଙ୍କର କ୍ରିକେଟିଂ ସେନ୍ସ ରହିଛି। କ୍ରିକେଟକୁ ଭଲଭାବେ ବୁଝିବାରେ ସେ ବେଶ୍‌ ସିଦ୍ଧହସ୍ତ। ଆଇସିସି ଅଧ୍ୟକ୍ଷ ପାଇଁ ସେ ସବୁଠାରୁ ଯୋଗ୍ୟ ବ୍ୟକ୍ତି। ଏହି ପଦ ପାଇଁ ତାଙ୍କଠାରୁ ଆଉ କୌଣସି ବ୍ୟକ୍ତି ଏବେ ଅଧିକ ଯୋଗ୍ୟ ନୁହନ୍ତି ବୋଲି ସେ କହିଛନ୍ତି। ତାଙ୍କ ନେୃତ୍ୱରେ ଭାରତ ଏକ ନୂଆ ଯୁଗରେ ପ୍ରବେଶ କରିଥିଲା। ସେ ଜଣେ ଉଚ୍ଚକୋଟୀର ଅଧିନାୟକ। ତାଙ୍କଠାରୁ ପ୍ରେରଣା ପାଇ ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲି ନେତୃତ୍ୱ ନେଇ ଭାରତୀୟ କ୍ରିକେଟକୁ ଆଗକୁ ବଢାଇବାରେ ସକ୍ଷମ ହୋଇଛନ୍ତି। ସେ ମଧ୍ୟ ସଫଳତା ସହ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି। ତେଣୁ ସେ ଆଇସିସିର ମଧ୍ୟ ନେତୃତ୍ୱ ନେବାରେ ସଫଳ ହେବେ। ଆଇସିସି ଅଧ୍ୟକ୍ଷ ପଦ ନିର୍ବାଚନରେ ସେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ସହାୟତା ବିନା ନିର୍ବାଚିତ ହୋଇପାରିବେ ବୋଲି କାନେରିଆ କହିଛନ୍ତି।
ଉଲ୍ଲେଖଥାଉ କି, କାନେରିଆ ଇଂଲିଶ କାଉଣ୍ଟି ଦଳ ଏସେକ୍ସ ପାଇଁ ଖେଳୁଥିବା ବେଳେ ସ୍ପଟ୍‌ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବାସନ୍ଦ ହୋଇଥିଲେ। ପ୍ରଥମେ ସେ ଏହାକୁ ମନା କରୁଥିଲେ ମଧ୍ୟ ପରେ ୨୦୧୮ରେ ନିଜ ଦୋଷ ସ୍ବୀକାର କରିଥିଲେ। ଗାଙ୍ଗଲି ବିସିସିଆଇ ଅଧ୍ୟକ୍ଷ ହେବା ପୂର୍ବରୁ କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି) ନେତୃତ୍ୱ ନେଇ ସଫଳତାର ସହ ଦାୟିତ୍ୱ ସମ୍ପାଦନା କରିଥିଲେ।

Share